ବିଜେଡିରେ ଗିରିଧାରୀ ମହାନ୍ତି, ଜାତୀୟ ମୁଖପାତ୍ର ଏବଂ ଜାତୀୟ ଗଣମାଧ୍ୟମ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର : ଅଲ୍‌ ଇଣ୍ଡିଆ ରେଡିଓ ତଥା ଡିଏଭିପିର ପୂର୍ବତନ ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରି କହିଛନ୍ତି, ସେ କେନ୍ଦ୍ର ସରକାରଙ୍କ ବହୁତ ବଡ଼ ବଡ଼ ପଦବିରେ ଥିଲେ। ସେ ଆମ ଦଳ ପାଇଁ ସଂପଦ ହେବେ ଏବଂ ଏଥିଲାଗି ମୁଁ ବହୁତ ଖୁସି।

ଅନ୍ୟପକ୍ଷରେ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ରାଜନୀତିରେ ଯୋଗଦେଲେ ସେବା କରିବା ପାଇଁ ବହୁତ ସୁଯୋଗ ମିଳିବ। ବିଜୁ ଜନତା ଦଳ ଭଳି ରାଜନୈତିକ ଦଳ ଯେଉଁଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରହିଛି, ସେଠାରେ ଯୋଗ ଦେଇଥିବାରୁ ମୁଁ କୃତଜ୍ଞ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ କେଶରୀ ଦେବଙ୍କ ସମେତ ଦଳର ସମସ୍ତ ମୁଖପାତ୍ର ଓ ପ୍ୟାନେଲିଷ୍ଟ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ଶ୍ରୀ ମହାନ୍ତିଙ୍କୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଏବଂ ଜାତୀୟ ଗଣମାଧ୍ୟମ ସଂଯୋଜକ ରୂପେ ନିଯୁକ୍ତି ଦେଇଛନ୍ତି ଦଳର ସଭାପତି। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ବିବୃତି ଜାରି କରି ଏହା ଜଣାଇଛନ୍ତି। ଶ୍ରୀ ମହାନ୍ତି ୧୯୮୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗଦେବା ପରେ ଡିଏଭିପିର ମହାନିର୍ଦ୍ଦେଶକ, ଆକାଶବାଣୀ ସମାଚାର ପ୍ରଭାଗର ମହାନିର୍ଦ୍ଦେଶକ, ଆରଏନ୍‌ଆଇର ମୁଖ୍ୟ ଏବଂ ସିବିଆଇ ମୁଖପାତ୍ର ରୂପେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି। ଶ୍ରୀ ମହାନ୍ତି ଦୂରଦର୍ଶନ ଓଡ଼ିଆ ସମାଚାରର ପ୍ରତିଷ୍ଠାତା ସଂପାଦକ ଭାବେ ମଧ୍ୟ ସଫଳତାର ସହିତ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର