ଏକଜିଟ ପୋଲ : ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର, ତେଲେଙ୍ଗାନାରେ ଟିଆରଏସ

ଭୁବନେଶ୍ୱର : ଦେଶର ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଆଜି ବୁଥ ଫେରନ୍ତା ମତ ବା ଏକଜିଟ ପୋଲ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁସାରେ ବିଜେପି ଶାସିତ ୩ଟି ପ୍ରମୁଖ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ତେବେ ତେଲେଙ୍ଗାନାରେ ଶାସନରେ ଥିବା ଟିଆରଏସ ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ।

ରାଜସ୍ଥାନ
ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି ଅଧିକାଂଶ ଏକଜିଟ ପୋଲ ପୂର୍ବାନୁମାନ କରିଛନ୍ତି । ଟାଇମ୍ସ ନାଓ-ସିଏନଏକ୍ସର ରିପୋର୍ଟ ଅନୁସାରେ ମୋଟ ୧୯୯ଟି ଆସନ ମଧ୍ୟରୁ କଂଗ୍ରେସ ୧୦୫ଟି ଓ ବିଜେପି ୮୫ଟି ପାଇବ । ସେହିପରି ଇଣ୍ଡିଆଟୁଡେ-ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁସାରେ କଂଗ୍ରେସ ୧୧୯ରୁ ୧୪୧ଟି ଓ ବିଜେପି ୫୫ରୁ ୭୨ଟି ଆସନ ପାଇବ । ସି ଭୋଟର କହିଛି ଯେ କଂଗ୍ରେସ ୧୩୭ଟି ଓ ବିଜେପି ୬୦ଟି ଆସନ ପାଇବ । ଅନ୍ୟପକ୍ଷରେ ଜନକି ବାତ କହିଛି ଯେ ବିଜେପି ୯୩ଟି ଓ କଂଗ୍ରେସ ୯୧ଟି ସିଟ ପାଇବ ।

ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶରେ ଝୁଲା ବିଧାନସଭା ହେବାର ସମ୍ଭାବନା ବ୍ୟକ୍ତ କରିଛନ୍ତି ବିଭିନ୍ନ ଏକଜିଟ ପୋଲ ସଂସ୍ଥା । ନ୍ୟୁଜ ୨୪-ପେସର ଅଟକଳ ଅନୁସାରେ ରାଜ୍ୟରେ ମୋଟ ୨୩୦ ସିଟ ମଧ୍ୟରୁ କଂଗ୍ରେସ ୧୧୫ଟି ଓ ବିଜେପି ୧୧୦ଟି ସିଟ ପାଇବେ । ଏବିପି ନ୍ୟୁଜ-ଲୋକନୀତି ଅନୁସାରେ କଂଗ୍ରେସ ୧୨୬ଟି ଓ ବିଜେପି ୯୪ଟି ସିଟ ପାଇବ । କିନ୍ତୁ ସି-ଭୋଟର ପୂର୍ବାନୁମାନ କରିଛି ଯେ ବିଜେପି ୧୦୮ରୁ ୧୨୮ଟି ଆସନ ପାଇବ ଓ କଂଗ୍ରେସ ୯୫ରୁ ୧୧୫ଟି ଆସନ ପାଇବ । ଇଣ୍ଡିଆ ଟୁଡେ-ଆକ୍ସିସ ଅନୁସାରେ ବିଜେପି ୧୦୨ରୁ ୧୨୦ ଓ କଂଗ୍ରେସ ୧୦୪ରୁ ୧୨୨ଟି ସିଟ ପାଇବେ ।

ଛତିଶଗଡ

ଛତିଶଗଡ଼ରେ ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ଏଠାରେ ବି ଝୁଲା ଫଳାଫଳ ମିଳିବାର ସମ୍ଭାବନା ରହିଛି । ପୋଲ ଅଫ ପୋଲ୍ସ ଅନୁସାରେ ବିଜେପି ୩୯ ଓ କଂଗ୍ରେସ ୪୫ଟି ଆସନ ପାଇବ ଓ ନ୍ୟୁଜ ନେସନ ଅନୁସାରେ କଂଗ୍ରେସ ୪୨ଟି ଓ ବିଜେପି ୪୦ ସିଟ ପାଇବ । ସେହିପରି ଇଣ୍ଡିଆଟୁଡେ-ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁସାରେ କଂଗ୍ରେସ ୬୦ ଓ ବିଜେପି ୨୬ଟି ଆସନ ପାଇବ । ଇଣ୍ଡିଆ ଟିଭିର ଅଟକଳ ଅନୁସାରେ ବିଜେପି ୪୨ରୁ ୫୦ ଓ କଂଗ୍ରେସ ୩୨ରୁ ୩୮ଟି ସିଟ ପାଇବ । । ଟାଇମ୍ସ ନାଓ-ସିଏନଏକ୍ସର ରିପୋର୍ଟ ଅନୁସାରେ କଂଗ୍ରେସ ୩୫ଟି ବିଜେପି ୪୬ଟି ଆସନ ପାଇବ ।

ତେଲେଙ୍ଗାନା

ତେଲେଙ୍ଗାନାରେ ପୁଣି ଥରେ ଟିଆରଏସ ଫେରିବାର ସମ୍ଭାବନା ରହିଛି । ତେବେ କଂଗ୍ରେସ ପକ୍ଷରୁ କଡା ଟକ୍କର ଦିଆଯିବାର ସମ୍ଭାବନା ରହିଛି । ଟାଇମ୍ସ ନାଓ-ସିଏନଏକ୍ସର ରିପୋର୍ଟ ଅନୁସାରେ ମୋଟ ୧୧୯ଟି ସିଟ ମଧ୍ୟରୁ ଟିଆରଏସ ୬୬ ଓ କଂଗ୍ରେସ ୩୭ଟି ଆସନ ପାଇବ । ଆକ୍ସିସ ଅନୁସାରେ ଟିଆରଏସ ୮୫ଟି ଓ କଂଗ୍ରେସ ୨୭ଟି ଆସନ ପାଇବ ।

ମିଜୋରାମ

ଅନ୍ୟପକ୍ଷରେ ମିଜୋରାମରେ କଂଗ୍ରେସ ଓ ଏମଏନଏଫ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ସିଭୋଟର ସର୍ଭେ ଅନୁସାରେ କଂଗ୍ରେସ ୧୪-୧୮ଟି ଓ ଏମଏନଏଫ ୧୬-୨୦ଟି ସିଟ ପାଇବ ।

ସମ୍ବନ୍ଧିତ ଖବର