ବିଜେଡିରେ ଯୋଗଦେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର : ମହାରାଷ୍ଟ୍ର କ୍ୟା଼ଡ଼ର ଆଇପିଏସ୍‌ ଅଫିସର ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଗଦାନ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଅରୂପ ପଟ୍ଟନାୟକଙ୍କୁ ଦଳକୁ ସ୍ୱାଗତ କରିବା ସହିତ କହିଥିଲେ, ତାଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ। ଆସନ୍ତା ଦିନରେ ଅରୂପ ଆମ ଦଳ ପାଇଁ ଅମୂଲ୍ୟ ସଂପଦ ହେବେ। ଏଥିଲାଗି ମୁଁ ବହୁତ ଖୁସି।

ଅନ୍ୟପକ୍ଷରେ ଅରୂପ ପଟ୍ଟନାୟକ କହିଥିଲେ, ଶ୍ରୀଜଗନ୍ନାଥଙ୍କ ରଥ ଶୁଭ ଅନୁକୂଳ ଓ ଅକ୍ଷୟ ତୃତୀୟା ଭଳି ଶୁଭ ଦିବସରେ ମଧୁସୂଦନ ଦାସ, ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ସେବା କରିବା ପାଇଁ ଯେଉଁ ସୁଯୋଗ ଦେଲେ, ସେଥିପାଇଁ ସେ କୃତଜ୍ଞ। ଦୀର୍ଘଦିନ ଧରି ଅନ୍ୟ ରାଜ୍ୟର ସେବା କରିବା ପରେ ଆଜି ନିଜର ଜନ୍ମସ୍ଥାନ ଓଡ଼ିଶାରେ ସେବା କରିବାକୁ ସୁଯୋଗ ମିଳିଥିବାରୁ ଉତ୍ସାହିତ ଅଛନ୍ତି।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରି ନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଶାନ୍ତ ନନ୍ଦ, ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବରିଷ୍ଠ ଓ ନବାଗତଙ୍କୁ ସଂଗଠନ ଦାୟିତ୍ୱ : ଦେବାଶିଷ ବିଜେଡି ସାଧାରଣ ସଂପାଦକ

ଭୁବନେଶ୍ୱର : ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାୟକ ଦେବାଶିଷ ନାୟକଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ, ନିକଟରେ ବିଜେଡିରେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳୀୟ ଦାୟିତ୍ୱ ମିଳିଛି। ତାଙ୍କୁ ବିଜେଡି ମୁଖିଆ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବିକ୍ରମ ପଣ୍ଡାଙ୍କୁ କନ୍ଧମାଳ ଜିଲ୍ଲା ପାଇଁ ସହକାରୀ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର