କର୍ଣ୍ଣାଟକ ରାଜନୈତିକ ସଂକଟ: ୪ କଂଗ୍ରେସ ବିଧାୟକ ବିଜେପିରେ ମିଶିବାର ସମ୍ଭାବନା!

ବେଙ୍ଗାଲୁର: ଶୁକ୍ରବାର ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକ(ସିଏଲ୍‌ପି)ରେ ଅନୁପସ୍ଥିତ ଥିବା କର୍ଣ୍ଣାଟକର ୪ ଜଣ କଂଗ୍ରେସ ବିଧାୟକ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି। ଏହି ୪ ବିଧାୟକ ହେଉଛନ୍ତି ରମେଶ ଜର୍କିହୋଲି, ମହେଶ କୁମାତାଲି, ଉମେଶ ଯାଦବ ଏବଂ ବି ନଗେନ୍ଦ୍ର। ତେବେ, କଂଗ୍ରେସ ବିଧାୟକ ରୂପେ ନିର୍ବାଚିତ ହୋଇଥିବାରୁ ସେମାନେ ଯଦି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦିଅନ୍ତି ତେବେ ସେମାନେ ଦଳବଦଳ ଆଇନ୍‌ର ସମ୍ମୁଖୀନ ହେବା ସହ ସେମାନଙ୍କର ବିଧାୟକ ପଦ ମଧ୍ୟ ରଦ୍ଦ ହୋଇଯିବାର ସମ୍ଭାବନା ରହିଛି। ଏଣୁ, ଏ ପରିସ୍ଥିତିରେ ସେମାନେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସିଧାସଳଖ ଯୋଗ ନଦେଲେ ମଧ୍ୟ କଂଗ୍ରେସ ସହ ସଂପର୍କ ଛିନ୍ନ କରି ବିଜେପିକୁ ବାହ୍ୟା ସମର୍ଥନ ଦେବେ ବୋଲି ଆଲୋଚନା ଚାଲିଛି।

ସିଏଲ୍‌ପି ବୈଠକରେ ଯୋଗ ନ ଦେଇଥିବା କାରଣରୁ କଂଗ୍ରେସ ରମେଶ ଜର୍କିହୋଲି ଓ ମହେଶ କୁମାତାଲି ଉମେଶଙ୍କ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଜାଣିବାକୁ ମିଳିଛି ଯେ ୪ ଜଣ ଯାକ ବିଧାୟକ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ବୈଠକରେ ଅନୁପସ୍ଥିତ ରହିନାହାନ୍ତି।

ଏପରି ଅଚାନକ ଭାବେ ଏକାଥରରେ ଚାରି ଜଣ ବିଧାୟକ କଂଗ୍ରେସ ବୈଠକରେ ଅନୁପସ୍ଥିତ ରହିବା କଥା ଏକ ପ୍ରକାର ସ୍ପଷ୍ଟ କରୁଛି ଯେ ମେସାନେ ଦଳ ପରିତ୍ୟାଗ କରୁଛନ୍ତି। ତେବେ ସେମାନେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ ସେପରି କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ରାଜନୈତିକ ପାଣିପାଗ ଜାଣିବା ପାଇଁ ଶନିବାର କଂଗ୍ରେସ ଦଳ ପକ୍ଷରୁ ଏକ ବିଧାୟକ ଦଳ ବୈଠକ ଡକାଯାଇଥିଲା। ଏହି ବୈଠକ ଏଗ୍‌ଲେଟନ୍‌ ରିସୋର୍ଟରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର