ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଜ୍ଞାପନରେ ସୀମିତ: ବିଜେପି

ଭୁବନେଶ୍ୱର : ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଘୋଷଣାକୁ ପ୍ରଚାର ସର୍ବସ୍ୱ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି ବିଜେପି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଖବରକାଗଜ ବିଜ୍ଞାପନ ଓ ବଡ଼ ବଡ଼ ହୋର୍ଡିଂରେ ସୀମିତ ରହିଛି ବୋଲି ଦଳ ଆରୋପ ଲଗାଇଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଆମ୍ବୁଲାନ୍ସ ଅଭାବରୁ ମହିଳାମାନଙ୍କୁ କାନ୍ଧରେ, ଖଟରେ, ଟୋକେଇରେ ବୁହା ହୋଇ ହସ୍ପିଟାଲ୍‌ ନିଆଯାଉଛି। ଅତି ଦୟନୀୟ ସ୍ଥିତିରେ ସେମାନେ ପ୍ରସବ କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଘୋଷଣା କରୁଛନ୍ତି। ଅନ୍ୟ ପଟେ ମହିଳାମାନେ ସମସ୍ତ ଯୋଜନାରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନାହିଁ। ଅନେକ ମେଡିକାଲରେ ଟର୍ଚ୍ଚ ମାରି ଅସ୍ତ୍ରୋପଚାର କରାଯାଉଛି। ୧୨୩୯ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନିଜସ୍ୱ ଘର ନାହିଁ। ୮୭ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୪୬୮୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ମଧ୍ୟରୁ ୧୦୧୬ଟି ପଦବି ଖାଲି ପଡ଼ିଛି। ଏହି ସବୁ ସମସ୍ୟାର ସମାଧାନ ନ କରି ମୁଖ୍ୟମନ୍ତ୍ରୀ କେବଳ ଘୋଷଣା କରି ନିଜର ପ୍ରଚାର କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର