ଗୁଜରାଟ ରାଜନୀତିରେ ନୂଆ ମୋଡ଼ : ସବୁ ବିରୋଧୀ ଏକାଠି

କଂଗ୍ରେସ ସହ ମିଶି ସାମ୍ମୁଖ୍ୟ ଗଢ଼ିବେ ହାର୍ଦିକ, ଅଳ୍ପେଶ, ଜିଗ୍ନେଶ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବରରେ ଗୁଜରାଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପିର ବିପର୍ଯ୍ୟୟ ଘଟିପାରେ। ଏଭଳି ଗୁଇନ୍ଦା ରିପୋର୍ଟରେ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ। ଏଥିରୁ ଫାଇଦା ଉଠାଇବା ଲାଗି ରାଜ୍ୟର ଏହି ମୁଖ୍ୟ ବିରୋଧୀ ଦଳ ଭରପୂର ଉଦ୍ୟମ ଚଳାଇଛି। ରାଜ୍ୟରେ ଦୁଇ ଦଶନ୍ଧୀ ଧରି କ୍ଷମତାସୀନ ବିଜେପି ସରକାର ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ ସଂଗଠନକୁ ଏକଜୁଟ କରିବା ଲାଗି ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ସହ ମିଶି ମିଳିତ ସାମ୍ମୁଖ୍ୟ ଗଠନ ଲାଗି ଏହି ସଂଗଠନମାନଙ୍କ ଯୋଜନା ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।

ଗତ କିଛି ବର୍ଷ ଧରି ବିଜେପି ସରକାର ବିରୋଧରେ ଶକ୍ତିଶାଳୀ ଆନ୍ଦୋଳନ ଚଳାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ହାର୍ଦିକ ପଟେଲ, ଅଳ୍ପେଶ ଠାକୁର ଏବଂ ଜିଗ୍ନେଶ ମେଓ୍ଵାନୀ। ହାର୍ଦିକ ତାଙ୍କର ପଟ୍ଟିଦାର ସଂପ୍ରଦାୟ ଲାଗି ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପାଇଁ ସଂଘର୍ଷ ଚଳାଇଥିବା ବେଳେ ଅଳ୍ପେଶ ଠାକୁର ଦଳିତଙ୍କ ବିକାଶ ଓ ସୁରକ୍ଷା ପାଇଁ ଆନ୍ଦୋଳନ ଚଳାଇଛନ୍ତି। ସେହିଭଳି ରାଜ୍ୟରେ ଦୁର୍ନୀତି ଏବଂ ମଦ ବିରୋଧରେ ଅଭିଯାନ ଚଳାଇଛନ୍ତି ମେଓ୍ଵାନୀ। ଏମାନଙ୍କ ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳୁଥିବାରୁ ବିଜେପିର ବିପର୍ଯ୍ୟୟ ଘଟାଇବାରେ ସେମାନେ ସକ୍ଷମ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି।

ଏହି ତିନି ନେତାମାନଙ୍କ ସହିତ କଂଗ୍ରେସ କଥାବାର୍ତା ଚଳାଇଛି ବୋଲି ଗୁଜରାଟ ପିସିସି ସଭାପତି ଭରତ ସିଂ ସୋଲାଙ୍କି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପିର କିଛି ନେତା, ଆପ୍‌, ଏନ୍‌ସିପି ଏବଂ ଜେଡିୟୁ ମଧ୍ୟ ଏହି ମେଣ୍ଟରେ ସାମିଲ ହେବେ। ଏଥିନେଇ ଆଲୋଚନା ଚାଲିଛି।

ହାର୍ଦ୍ଦିକ ପଟେଲ କହିଛନ୍ତି, ସେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଅଧିକାର ଓ ନ୍ୟାୟ ପାଇଁ ସଂଗ୍ରାମ କରିବେ। ବିଜେପିର ଅହଙ୍କାର ବିରୋଧରେ ସମସ୍ତେ ଏକଜୁଟ ହେବାକୁ ସେ ଆହ୍ଵାନ ଦେଇଥିବାରୁ କଂଗ୍ରେସ ସହ ହାତ ମିଳାଇବା ସ୍ପଷ୍ଟ ହୋଇଯାଇଛି। ପଟ୍ଟିଦାର ଆନ୍ଦୋଳନର ପ୍ରମୁଖ ନେତା ହାର୍ଦ୍ଦିକଙ୍କ ସମର୍ଥନ ଗୁଜରାଟରେ ବିଜେପିର ଗଣିତକୁ ଓଲଟପାଲଟ କରିଦେବ ବୋଲି କେତେକ ମହଲ ମତ ଦେଇଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି-କଂଗ୍ରେସର ନିର୍ବାଚନ ନୁହେଁ ଏବଂ ୬ କୋଟି ଜନସାଧାରଣଙ୍କ ନିର୍ବାଚନ ବୋଲି ହାର୍ଦ୍ଦିକ କହିଛନ୍ତି। ଗୁଜରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭରତ ସିଂ ସୋଲାଙ୍କି ବିଜେପି ବିରୋଧୀ ନେତାଙ୍କୁ ମେଣ୍ଟ ପାଇଁ ନିମନ୍ତ୍ରଣ ଦେଇଥିବା ବେଳେ ଏଥିରୁ ଜେଡିୟୁ ମଧ୍ୟ ବାଦ ପଡ଼ିନାହିଁ। ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜେଡିୟୁ ନେତା ଛୋଟୁ ଭାଇ ବାସବା ଦଳ ବିରୋଧରେ ଯାଇ କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲଙ୍କୁ ଭୋଟ୍‌ ଦେଇଥିବାରୁ ସେ ଏଥର କଂଗ୍ରେସ ଶିବିରରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଏହା ବ୍ୟତୀତ ଏସ୍‌ସି-ଏସ୍‌ଟି ଏକତା ମଂଚର ନେତା ଅଲପେଶ ଠାକୁର ଏବଂ ଦଳିତ ନେତା ଜିଗ୍ନେଶ ମେଓ୍ଵାନିଙ୍କୁ ମଧ୍ୟ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି। ଅଳ୍ପେଶ ଠାକୁର ଆଗାମୀ ୨୩ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ ବୋଲି ଜଣାପଡ଼ିଛି।

କଂଗ୍ରେସର ପରିବର୍ତ୍ତିତ ରଣନୀତିକୁ ଦେଖି ରାଜ୍ୟ ବିଜେପି ଏହାର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଗୁଜରାଟ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗୁଜରାଟ ଗସ୍ତ ଥିବା ବେଳେ ଏଥିରେ ଅନେକ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସାମିଲ ରହିଛି। ଗୁଜରାଟ ନିର୍ବାଚନର ପ୍ରଭାବ ଜାତୀୟ ରାଜନୀତି ଏବଂ ୨୦୧୯ ଲୋକସଭା ନିର୍ବାଚନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି କୁହାଯାଉଛି। ବିଜେପିର ଗୁଜରାଟ ମଡେଲକୁ କଂଗ୍ରେସ କଠୋର ସମାଲୋଚନା ଜାରି ରଖିଥିବା ବେଳେ ବିଜେପି କଂଗ୍ରେସ ଶାସନ ସମୟର ବିଫଳତା ଓ ଦୁର୍ନୀତିକୁ ଅସ୍ତ୍ର କରିଛି।

ସମ୍ବନ୍ଧିତ ଖବର