ଡିସେମ୍ବର ୯,୧୪ରେ ଗୁଜରାଟ ଭୋଟ୍‌

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଗୁଜରାଟ ବିଧାନସଭାର ୧୮୨ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୯ ତାରିଖ ଦିନ ହେବ ଏବଂ ଏହି ଦିନ ୮୯ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ବର ୧୪ ତାରିଖ ଦିନ ଦିନ ହେବ ଏବଂ ଏଥିରେ ଅବଶିଷ୍ଟ ୯୩ଟି ଆସନର ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ। ଗୁଜରାଟ ଏବଂ ହିମାଚଳ ପ୍ରଦେଶର ଭୋଟ ଗଣତି ଡିସେମ୍ବର ୧୮ ତାରିଖ ଦିନ କରାଯିବାକୁ କମିସନ ଘୋଷଣା କରିଛନ୍ତି।

ଗୁଜରାଟ ନିର୍ବାଚନରେ ଏଥର ୫୦, ୧୨୮ ପୋଲିଂ ବୁଥ୍‌ ବ୍ୟବସ୍ଥା ହୋଇଛି ଏବଂ ସମସ୍ତ ବୁଥ୍‌ରେ ଭିଭିପିଏଟି (ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରାଏଲ) ମେସିନ ଲାଗିବ। ମୁଖ୍ୟ ନିର୍ବାଚନ କମିସନର ଅଚଲ କୁମାର ଜୋତି ଆଜି ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି ଯେ ରାଜ୍ୟରେ ଶତ ପ୍ରତିଶତ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ କମିସନ ବ୍ୟପକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ ଉପରେ ଦୃଷ୍ଟି ରଖିବାଠାରୁ ପ୍ରାର୍ଥୀଙ୍କ ଟିକିନିଖି ଖର୍ଚ୍ଚ ଉପରେ ମଧ୍ୟ ଧ୍ୟାନ ରହିବ ଏବଂ ଏଥିପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ପ୍ରାର୍ଥୀ ଏବଂ ରାଜନୈତିକ ଦଳଙ୍କ ସୁବିଧା ପାଇଁ ଏକ ‘ଏପ୍‌’ ବ୍ୟବସ୍ଥା ମଧ୍ୟ ହେବ।

ପ୍ରତ୍ୟେକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ସାଧାରଣ ଭୋଟରଙ୍କ ପାଇଁ ମଧ୍ୟ ଏକ ମୋବାଇଲ ‘ଏପ୍‌’ ବ୍ୟବସ୍ଥା ହେବ। ଏଥିରେ ନିର୍ବାଚନ ସଂପର୍କିତ ଯେ କୌଣସି ଅଭିଯୋଗ ନାଗରିକମାନେ ରିପୋର୍ଟ କରିପାରିବେ। ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ଭୋଟଦାନ ହେବ ଏବଂ ସେଠାରେ ନଭେମ୍ବର ୯ ତାରିଖ ଦିନ ହିଁ ଭୋଟ୍‌ ଗ୍ରହଣ ସଂପୂର୍ଣ୍ଣ ହେବ। ଗତ ୧୨ ତାରିଖ ଦିନ ହିମାଚଳ ପ୍ରଦେଶ ନିର୍ବାଚନ ତାରିଖ ଘୋଷଣା ବେଳେ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇ ନଥିଲା। ୧୯୯୮, ୨୦୦୭, ୨୦୧୨ରେ ଉଭୟ ରାଜ୍ୟର ନିର୍ବାଚନ ଘୋଷଣା ଏକାସଂଗରେ ହୋଇଥିଲା।

ସମ୍ବନ୍ଧିତ ଖବର