ଗୁଜରାଟ ବିଧାନସଭା ନିର୍ବାଚନ

ସୁରତରେ ‘ଓଡ଼ିଆ’ ପ୍ରାର୍ଥୀ ହାରିଲେ

ବ୍ରହ୍ମପୁର : ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଓଡ଼ିଶା ବାସିନ୍ଦା ଅଶୋକ କୋଠାରା ପରାଜୟ ବରଣ କରିଛନ୍ତି। ଅଶୋକ ମାରଓ୍ଵାଡି ସଂପ୍ରଦାୟର ଓ ତାଙ୍କ ପରିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିଲେ। ଓଡ଼ିଆବହୁଳ ସୁରତର ମଜୁରା ଆସନରୁ ସେ କଂଗ୍ରେସ ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ଓଡ଼ିଶା ପିସିସି ସଭାପତିଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ପ୍ରଚାର କରିବାକୁ ଯାଇଥିଲେ। ତେବେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ହାରି ଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁରତ ଜିଲ୍ଲାରେ ମୋଟ ୧୬ଟି ବିଧାନସଭା ଆସନ ରହିଛି। ସେଥିରୁ ସହରାଞ୍ଚଳରେ ୧୨ଟି ବିଧାନସଭା ଆସନ ରହିଥିବା ବେଳେ ଗ୍ରାମାଞ୍ଚଳରେ ୪ଟି ବିଧାସଭା ଆସନ ରହିଛି। ସୁରତରେ ୬ଲକ୍ଷରୁ ଅଧିକ ଓଡ଼ିଆ ରହୁଥିବା ବେଳେ ୩ଲକ୍ଷ ୨୦ ହଜାର ଲୋକଙ୍କ ଭୋଟର ତାଲିକାରେ ନାମ ରହିଛି। ସମସ୍ତ ନିର୍ବାଚନମଣ୍ଡଳୀରେ ଅଳ୍ପ ବହୁତ ଓଡ଼ିଆ ରହୁଥିବା ବେଳେ ସୁରତର ୪ଟି ବିଧାନସଭା ଆସନ ଯଥା ଉଦାନ, ଚୌରାସିଆ,ମଜୁରା ଓ କାଟରଗାମରେ ଓଡ଼ିଆ ଭୋଟରଙ୍କ ଦବଦବା ରହିଛି। ଓଡ଼ିଆଙ୍କ ପ୍ରଭାବ ଥିବା ଏହି ୪ଟି ଆସନର ଫଳାଫଳରୁ ୩ଟି ଆସନରେ ବିଜେପି ବିଜୟୀ ହୋଇଛି। ଚୌରାସିଆରେ ବିଧାନସଭା ଆସନ ଫଳାଫଳ ଘୋଷଣା ହୋଇନଥିଲେ ହେଁ ଏଠାରେ ବିଜେପି ଆଗରେ ଥିବା ଜଣାପଡିଛି।

ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରମାଣିତ: ବିଜେପି

ଭୁବନେଶ୍ୱର : ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଜେପିର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରମାଣିତ କରୁଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ସାଧାରଣ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ଓ ବିକାଶ କରିବାର ରାଜନୀତି ପାଇଁ ଯୁବକ, ଆଦିବାସୀ, ପଛୁଆବର୍ଗ, ମହିଳା ଓ ବ୍ୟବସାୟୀଙ୍କ ପାଖରେ ବିଜେପି ଆଦୃତ ହୋଇଛି। ଆଗାମୀ ଦିନରେ ଜାତୀୟ ରାଜନୀତି ଓ ଓଡ଼ିଶା ରାଜନୀତି ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ଓଡ଼ିଶାର ୭ ଲକ୍ଷରୁ ଅଧିକ ଲୋକ ଓଡ଼ିଶାରେ ରୋଜଗାର ନ ପାଇ ଗୁଜୁରାଟର ସୁରତରେ ବାସ କରୁଥିବା ବେଳେ ସେମାନେ ମୋଦିଙ୍କ ଉପରେ ବିଶ୍ୱାସ ରଖି ନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଥିବାରୁ ବିଜେପି ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି।

ବିଜେପିର ଅହଙ୍କାର ପ୍ରତି ଧକ୍କା : ବିଜେଡି

ଭୁବନେଶ୍ୱର : ଗୁଜୁରାଟରେ ବିଜେପି ସରକାର ଗଠନ କରୁଥିଲେ ବି ବିଜେପିର ଅହଙ୍କାର ପ୍ରତି ପ୍ରଚଣ୍ଡ ଧକ୍କା ଲାଗିଛି ବୋଲି ବିଜେଡି କହିଛି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ବିଜେପିର ୧୫୦ ଆସନ ଜିତିବାର ଗର୍ବ ଚୁର୍‌ମାର୍‌ ହୋଇଛି। ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ କରି ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଯେଉଁପରି ତଳ ସ୍ତରକୁ ଆସି ସାଧାରଣ ବିଜେପି କର୍ମକର୍ତ୍ତାଙ୍କ ପରି ଆଚରଣ ପ୍ରଦର୍ଶନ କରୁଥିଲେ, ତାହା ଆଦୌ ଶୋଭନୀୟ ନ ଥିଲା। ଏହା ପ୍ରଧାନମନ୍ତ୍ରୀ ପଦବିର ଗାରିମାକୁ କ୍ଷୂର୍ଣ୍ଣ କରୁଥିଲା। ବିଜେପି ଗୁଜୁରାଟ ନିର୍ବାଚନ ପ୍ରଚାର ସମୟରେ ଯେଭଳି କଲା, ତାହା ଗଣତନ୍ତ୍ର ଇତିହାସରେ କଳଙ୍କ ହୋଇ ରହିବ।

ସମ୍ବନ୍ଧିତ ଖବର