ଗୁଜରାଟ ନିର୍ବାଚନ: କିଙ୍ଗ ମେକର୍‌ ହେବାକୁ ହାର୍ଦ୍ଦିକଙ୍କ ପ୍ରୟାସ

ରାହୁଲଙ୍କୁ ଭେଟିଲେ ଜିଗ୍ନେଶ ମେଓ୍ଵାନି ପଟିଦାର ସଂରକ୍ଷଣ ନୀତି ନେଇ ସୋନିଆ ନିଷ୍ପତ୍ତି ନେବେ ବିଜେପିକୁ ଘେରିବା ପାଇଁ ରଣନୀତି

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିକୁ ଟକ୍କର ଦେବାପାଇଁ କଂଗ୍ରେସ ସମସ୍ତ ସମ୍ଭାବ୍ୟ ରଣନୀତି କାର୍ଯ୍ୟକାରୀ କରିବାକୁ ଚାହୁଛି। ଦଳର ରାଜ୍ୟନେତାଙ୍କ ଜୋରଦାର ପ୍ରୟାସ ପରେ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ଗତକାଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ତାଙ୍କର ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମର୍ଥନ ମଧ୍ୟ କଂଗ୍ରେସକୁ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପଟିଦାର ସଂପ୍ରଦାୟକୁ ସଂରକ୍ଷଣ ଦେବା ପ୍ରସଙ୍ଗରେ କଂଗ୍ରେସ ତା’ର ନୀତି ଆଗାମୀ ୯ ତାରିଖ ସୁଦ୍ଧା ସ୍ପଷ୍ଟ କରିବାକୁ ହାର୍ଦ୍ଦିକ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯେଉଁ ନିଷ୍ପତ୍ତି ନେବେ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ପଟିଦାର ସଂପ୍ରଦାୟର ସିଂହଭାଗ ଭୋଟ ଯଦି ବିଜେପି ବିରୋଧରେ ଯିବ ତା’ହେଲେ ଗୁଜରାଟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିହେବ ଏବଂ ହାର୍ଦ୍ଦିକ ପଟେଲ କିଙ୍ଗ୍‌ମେକର ଭୂମିକାରେ ଅବତୀର୍ଣ୍ଣ ହେବେ।

ଦଳିତ ନେତା ଜିଗ୍ନେଶ ପଟେଲ ରାହୁଲଙ୍କ ନିକଟରେ ଦଳିତମାନଙ୍କ ୧୭ଟି ଦାବି ଉପସ୍ଥାପନ କରିଛନ୍ତି ଏବଂ ରାହୁଲ ଏହି ସମସ୍ତ ଦାବି ଗ୍ରହଣ କରିଥିବାରୁ ଦଳିତ ସମାଜ ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନ କଂଗ୍ରେସ ସପକ୍ଷରେ ପ୍ରଚାର କରିବେ ବୋଲି ଘୋଷଣା କରାଯାଇଛି । ରାହୁଲ କହିଛନ୍ତି ଯେ ଦଳିତ ସଂପ୍ରଦାୟର ଏହି ଦାବିଗୁଡ଼ିକ ସେମାନଙ୍କ ସାମ୍ବାଧାନିକ ଅଧିକାର ଏବଂ ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବ ନାହିଁ। ଜିଗ୍ନେଶ ଉପସ୍ଥାପନ କରିଥିବା ଦାବିଗୁଡ଼ିକ ମଧ୍ୟରୁ କେତେକ କଂଗ୍ରେସ ଇସ୍ତାହାରରେ ମଧ୍ୟ ସ୍ଥାନ ପାଇବ ବୋଲି ରାହୁଲ କହିଛନ୍ତି। କିଛିଦିନ ତଳେ ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରେ ଯୋଗଦେଇଥିବା ବେଳେ ଏବେ ହାର୍ଦ୍ଦିକ ଓ ଜିଗ୍ନେଶଙ୍କ ସମର୍ଥନ କଂଗ୍ରେସ ଶିବିରକୁ ଉତ୍‌୍‌ଫୁଲ୍ଲିତ କରିିଛି। ଆଜି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଥିଲେ ଯେ ଗୁଜରାଟରେ କଂଗ୍ରେସ ସରକାର ଆସିଲେ ଲୋକଙ୍କ ‘ମନ୍‌ କୀ ବାତ୍‌’ ଶୁଣିବ ଏବଂ ନିଜ୍‌ ‘ମନ୍‌ କୀ ବାତ୍‌’ ଜନତାଙ୍କ ଉପରେ ଲଦିବ ନାହିଁ।

ହାର୍ଦ୍ଦିକ ପଟେଲଙ୍କୁ ନେଇ କଂଗ୍ରେସ କେତେକ ମେଗା ର‍୍ୟାଲିର ମଧ୍ୟ ଯୋଜନା କରିଛି। ତେବେ ହାର୍ଦ୍ଦିକଙ୍କ ସଂରକ୍ଷଣ ଆଭିମୁଖ୍ୟକୁ ବିଭିନ୍ନ ପଟିଦାର ସଂଗଠନ ବିରୋଧ କରିଥିବାରୁ କଂଗ୍ରେସ ଏ ବାବଦରେ ବେଶ୍‌ ସତର୍କତାର ସହ ଗୋଟି ଚାଳନା କରୁଛି । ସଂରକ୍ଷଣ ବାହାନାରେ ହାର୍ଦ୍ଦିକ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଛନ୍ତି ବୋଲି ପଟିଦାର ସଂପ୍ରଦାୟର ଅନ୍ୟ ବରିଷ୍ଠ ନେତାମାନେ ଅଭିଯୋଗ ଆଣିଛନ୍ତି। ହାର୍ଦ୍ଦିକ ପଟିଦାର ସମ୍ପ୍ରଦାୟକୁ ବାଟବଣା କରୁଛନ୍ତି ବୋଲି ମଧ୍ୟ ପଟିଦାର ସଂପ୍ରଦାୟର କେତେକ ସଂଗଠନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର