ବିବାହ ମଣ୍ଡପ ଛାଡ଼ି ମତଦାନ କରିବାକୁ ପହଞ୍ଚିଲେ ବର-କନ୍ୟା, ହଳଦୀ ଉତ୍ସବରୁ ବି କନ୍ୟା ଧାଇଁଲେ ଭୋଟ୍‌ ଦେବାକୁ

ଗାନ୍ଧିନଗର: ଗୁଜୁରାଟର ନାଗରିକମାନେ ବେଶ୍‌ ସଚେତନ ବୋଲି ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ପ୍ରମାଣ ହୋଇଯାଇଛି। ମତଦାନ ଜଣେ ନାଗରିକର ମୌଳିକ ଅଧିକାର, ତେଣୁ କେଉଁ ବି ପରିସ୍ଥିତିରେ ମତଦାନ ଅଧିକାର ହରାଇବା ଉଚିତ ନୁହେଁ ବୋଲି ଗୁଜୁରାଟବାସୀ ପ୍ରମାଣ କରି ଦେଇଛନ୍ତି। ଏକାଥରରେ ଘଟିଛି ଦୁଇ ଦୁଇଟି ଘଟଣା। ଯାହା ସଂପର୍କରେ ଜାଣିବା ପରେ ଆପଣ ବି କହିବେ, ସତରେ ଗୁଜୁରାଟର ଲୋକେ ବେଶ୍‌ ସଚେତନ।

ପ୍ରଥମ ଘଟଣାଟି ହେଉଛି, ନିଜ ବିବାହର କିଛି କ୍ଷଣ ପୂର୍ବରୁ ବର-କନ୍ୟା ଭାରୁଚର ବାହୁମାଲି ବିଲ୍‌ଡିଂରେ ହେଉଥିବା ପୁଲିଂ ବୁଥ୍‌ରେ ପହଞ୍ଚିଥିଲେ। ସେଠାରେ ବିବାହ ପୋଷାକରେ ଥିବା ବର-କନ୍ୟାଙ୍କୁ ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ପରେ ଜାଣିବାକୁ ମିଳିଥିଲା ଯେ ନିଜର ନାଗରିକ ଦାୟିତ୍ୱ ତୁଲାଇବା ପାଇଁ ସେମାନେ ବିବାହ କରିବା ପୂର୍ବରୁ ପ୍ରଥମେ ମତଦାନ ଦେବାକୁ ଶ୍ରେୟ ମଣି ଧାଇଁ ଆସିଥିଲେ।

 

ଦ୍ୱିତୀୟ ଘଟଣାଟି ହେଉଛି, କତରଗାମ(ସୁରଟ)ର ଜଣେ କନ୍ୟା ନିଜ ହଳଦୀ ଉତ୍ସବ ଦିନ ଅର୍ଥାତ ଆଜି ପୁଲିଂ ବୁଥ୍‌ରେ ଦେଖିବାକୁ ମିଳିଥିଲେ। କନ୍ୟା ଜଣକ ହଳଦୀ ବୋଳ ମୁହଁରେ ଆସି ମତଦାନ ଦେଇ ନିଜ ଦେଶ ପ୍ରତି ଥିବା ଦାୟିତ୍ୱ ତୁଲାଛନ୍ତି।

ଏହି ୩ ଜଣ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଏମାନଙ୍କ ସଚେତନତା ଦେଖି ଅନେକ ଜଣ ପ୍ରେରଣା ପାଇଥିବା ସହ ସୋସିଆଲ୍‌ ସାଇଟ୍‌ରେ ଏମାନେ ଏବେ ଜଣେ ଜଣେ ଷ୍ଟାର୍‌। ଟୁଇଟ୍‌ରେ ଏହି ଖବର ପ୍ରକାଶ ପାଇବା ପରେ ସେମାନଙ୍କର ଏବେ ଭୂରି ଭୂରି ପ୍ରଶଂସା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଗୁଜୁରାଟର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୫% ମତଦାନ ହୋଇଯାଇଛି। ଗୁଜୁରାଟର ବିଭିନ୍ନ ବୁଥ୍‌ରେ ଲାଗିଥିବା ପ୍ରାୟ ୧୦୦ରୁ ଊର୍ଧ୍ୱ ମେସିନ୍‌ ଖରାପ ହୋଇଥିବାରୁ କିଛି ସମୟ ପାଇଁ ମତଦାନ ପ୍ରକି୍ରୟା ସ୍ତଗିତ ରହଥିଲା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର