ଗୁଜରାଟ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ

କଂଗ୍ରେସ ଗୁଜରାଟର ବିକାଶକୁ ସହୟ କରିପାରୁନି: ମୋଦି

ପୁଣିଥରେ ‘ଗବ୍ଦର’ ଶବ୍ଦ ବ୍ୟବହାର କଲେ ରାହୁଲ

ଅହମଦାବାଦ୍‌: ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଥିବା ଧୂଅାଁଧାର ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି। ପ୍ରଥମ ପର୍ଯର୍୍ୟାୟରେ ୧୮୨ ବିଧାନସଭା ଆସନରୁ ୮୯ ଆସନରେ ୯ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସମେତ ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୁଦାୟ ୧୪ଟି ର‍୍ୟାଲିରେ ଉଦ୍‌ବୋଧନ ଦେଇଥିବାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମାରାଥନ ପ୍ରଚାର କରିଛନ୍ତି। ବିଜେପି ବିମୁଦ୍ରାକରଣ ଏବଂ ଜିଏସଟିର ନକରାତ୍ମକ ପ୍ରଭାବକୁ ହଟାଇବା ଲାଗି ବ୍ୟାପକ ପ୍ରୟାସ କରିଥିବା ବେଳେ କଂଗ୍ରେସ ଗୁଜରାଟର ବିକାଶ ପ୍ରସଙ୍ଗ ନେଇ ମୋଦିଙ୍କୁ କଡ଼ା ସମାଲୋଚନା କରିଛି। ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂହ ଆଜି ବିଭିନ୍ନ ସଭାରେ ଉଦ୍‌ବୋଧନ ଦେଇ ଗୁଜରାଟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି କହିଛନ୍ତି। ମନମୋହନ କହିଛନ୍ତି ଯେ କଂଗ୍ରେସ ଦଳ ଗୁଜରାଟରେ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ରଖିଛି ଏବଂ କଂଗ୍ରେସ କ୍ଷମତାକୁ ଆସିଲେ ଏହା ବିକାଶର ନୂଆ ଯୁଗ ସୃଷ୍ଟି କରିବ। ବିଜେପି ସରକାର ବିକାଶକୁ ଦିଗହରା କରିଦେଇଛି ଏବଂ ସାଧାରଣ ଜନତା ଘୋର ହନ୍ତସନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି। ବିମୁଦ୍ରାକରଣ ଏବଂ ଜିଏସଟି ପ୍ରସଙ୍ଗରେ ମନମୋହନ ମୋଦିଙ୍କୁ ଆଜି ପୁଣିଥରେ ସମାଲୋଚନା କରିଛନ୍ତି। ମୋଦି ଗୁଜରାଟବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତ୍ୟେକଦିନ ଗୋଟିଏ ଲେଖାଏଁ ପ୍ରଶ୍ନ କରୁଛନ୍ତି। ରାହୁଲ ଆଜି ତାଙ୍କ ନବମ ପ୍ରଶ୍ନରେ ପୁଣିଥରେ ଗବ୍ଦର ଶବ୍ଦର ବ୍ୟବହାର କରି ମୋଦିଙ୍କୁ କଟାକ୍ଷ କରିଛନ୍ତି। ତେବେ ପୂର୍ବରୁ ରାହୁଲ ଜିଏସଟିକୁ ଗବ୍ଦର ସିଂ ଟ୍ୟାକ୍ସ କହିଥିବାବେଳେ ଆଜି କୃଷକଙ୍କ ଦୁଃଖ ପ୍ରସଙ୍ଗକୁ ପାଥେୟ କରି ରାହୁଲ ମୋଦିଙ୍କୁ ସମାଲୋଚନା କରିଛନ୍ତି। ଋଣଛାଡ଼ ପ୍ରସଙ୍ଗ ଉଠାଇ ବିଜେପି କୃଷକଙ୍କ ସହ ପ୍ରତାରଣା କରିଛି ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟର ଶେଷ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ବିଭିନ୍ନ ଯୋଜନାର ସଫଳ କ୍ରିୟାନ୍ଵୟନ ଦେଶରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ଏବଂ ଏହି ବିକାଶକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ସେ କହିଛନ୍ତି।

ଟାଇମ୍ସ ନାଓ-ଭିଏମଆର ସର୍ଭେରେ ବିଜେପି ଆଗୁଆ

ଅହମଦାବାଦ୍‌: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୯ ତାରିଖରେ ହେଉଥିବା ବେଳେ ଟାଇମ୍ସ ନାଓ-ଭିଏମଆରର ଶେଷ ଜନମତ ସର୍ଭେରେ ବିଜେପି ପାଇଁ ଉତ୍ସାହଜନକ ଖବର ରହିଛି । ଗୁଜରାଟରେ ବିଜେପିର ବିଜୟ ସୁନିଶ୍ଚିତ କିନ୍ତୁ ୧୫୦ ଆସନ ଦଖଲ କରିବା ଲକ୍ଷ୍ୟ ପୂରଣ ହେବନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ବିଜେପି ୧୦୬ରୁ ୧୧୬ ଆସନ ଜିତିବ ଏବଂ କଂଗ୍ରେସ ୬୩ରୁ ୭୩ ଆସନରେ ସୀମିତ ରହିବ ବୋଲି ଜନମତ ସର୍ଭେରୁ ଜଣାଯାଇଛି। ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଏଥର କର ବା ମର ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଲଗାତାର ଶାସନରେ ଥିବା ବିଜେପି ଲାଗି ଚ୍ୟାଲେଞ୍ଜ ବଢ଼ିଯାଇଛି। ୩ ଦିନ ତଳେ ଲୋକନୀତି-ସିଏସଡିଏସର ଜନମତ ସର୍ଭେ ରିପୋର୍ଟରେ ବିଜେପି ଓ କଂଗ୍ରେସ ସମାନ ୪୩ ପ୍ରତିଶତ ଲେଖାଏଁ ଭୋଟ୍‌ ପାଇବେ ବୋଲି ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଜାତିଗତ ସମୀକରଣ ଏବଂ ଜିଏସ୍‌୍‌ଟିକୁ ନେଇ ରହିଥିବା ଅସନ୍ତୋଷ ଯୋଗୁଁ ବିଜେପିର ମତ ପ୍ରତିଶତ ଖସିବ। ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ୯୧ରୁ ୯୯ଟି ଆସନରେ ଜିତିବ ଏବଂ କଂଗ୍ରେସ ୭୮ରୁ ୮୬ ଟି ଆସନ ହାତେଇ ପାରିବ ବୋଲି କୁହାଯାଇଥିଲା। ତେବେ ଆଜି ଟାଇମ୍‌ସ ନାଓ-ଭିଏମ୍‌ଆର ସର୍ଭେ ବିଜେପି ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି।

ସମ୍ବନ୍ଧିତ ଖବର