ଗୁରୁଦାସପୁରରେ କଂଗ୍ରେସ ବିଜୟୀ

ବିନୋଦଙ୍କ ଆସନରେ ବିଜେପିକୁ ଝଟ୍‌କା

ନୂଆଦିଲ୍ଲୀ : ପଂଜାବର ଗୁରୁଦାସପୁର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍‌କା ଦେଇ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିଆଙ୍କୁ ୧,୯୩, ୨୧୯ ଭୋଟ୍‌ରେ ହରାଇଛନ୍ତି। ବିଜେପି ସାଂସଦ ତଥା ସିନେଷ୍ଟାର ବିନୋଦ ଖାନ୍ନାଙ୍କ ପରଲୋକ ଯୋଗୁ ଏଠାରେ ଉପନିର୍ବାଚନ ହୋଇଥିଲା।

ଗତ ୧୧ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିଲା।  ବିନୋଦ ଖାନ୍ନା ଏଠାରୁ ଏକାଧିକ ଥର ଲକ୍ଷାଧିକ ଭୋଟରେ ଜିତି ଆସିଥିବା ବେଳେ ତାଙ୍କ ବିୟୋଗ ପରେ ଏଥର ବିଜେପି ପ୍ରାର୍ଥୀ ପାଖାପାଖି ଦୁଇ ଲକ୍ଷ ଭୋଟରେ ପରାସ୍ତ ହେବା ବିଜେପି ପାଇଁ ବଡ଼ ଧକ୍କା ହୋଇଛି। ଶ୍ରୀ ଝାକଡ଼ ତାଙ୍କ ବିଜୟର ଶ୍ରେୟ କଂଗ୍ରେସ ନେତୃତ୍ୱ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ଦେଇଛନ୍ତି। ଏଥର ବିଜେପି ସମର୍ଥକମାନେ ମଧ୍ୟ କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି ବୋଲି ସେ କହିଛନ୍ତି।

କ୍ୟାପ୍‌ଟେନ ଅମରିନ୍ଦର କହିଛନ୍ତି ଯେ ଗୁରୁଦାସପୁର ଲୋକସଭା ଆସନରୁ  କଂଗ୍ରେସ ବିଜୟର ଅୟମାରମ୍ଭ କରିଛି। ସମଗ୍ର ଦେଶରେ କଂଗ୍ରେସ ଏଭଳି ବିପୁଳ ବିଜୟ ହାସଲ କରିବ ଏବଂ ରାହୁଲ ଗାନ୍ଧୀ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି। ଏହି ନିର୍ବାଚନରୁ କଂଗ୍ରେସର ପୁନରୁଦ୍ଧାର ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।  ଗୁରୁଦାସପୁର ଲୋକସଭା ଆସନର ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀକୁ ବିପୁଳ ସମର୍ଥନ ମିଳିଛି। କୌଣସି ଗୋଟିଏ ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗରେ ନାହାନ୍ତି। ଦଳର ଏଭଳି ଶୋଚନୀୟ ପରାଜୟ ରାଜ୍ୟ ବିଜେପିରେ ନୈରାଶ୍ୟ ସୃଷ୍ଟି କରିଛି। ଏହି ଉପନିର୍ବାଚନରେ ଝାକଡ଼ଙ୍କୁ ମୋଟ ୩୨୩୮୬୦ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀଙ୍କୁ  ୧୮୮୦୪୮ ଭୋଟ୍‌ ଏବଂ ଆମ ଆଦ୍‌ମି ପାର୍ଟି ପ୍ରାର୍ଥୀ ସୁରେଶ ଖଜୁରିୟାଙ୍କୁ ୧୮୪୨୧ ଭୋଟ ମିଳିଛି।

ସୂଚନାଯୋଗ୍ୟ, ବିନୋଦ ଖାନ୍ନା ଏହି ଆସନରୁ ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର