କଂଗ୍ରେସକୁ ହାର୍ଦ୍ଦିକଙ୍କ ଚେତାବନୀ : ୩ ସୁଦ୍ଧା ପଟିଦାର ସଂରକ୍ଷଣ ସ୍ପଷ୍ଟନକଲେ ପରିଣାମ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୟ ପାଇଁ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ଲଢ଼େଇ ଆରମ୍ଭ ହୋଇଯାଇଛି। ଉଭୟ ଦଳ ପଟିଦାର ସମ୍ପ୍ରଦାୟକୁ ହାତ କରି ଭୋଟ୍‌ ହାତେଇବାକୁ ଉଦ୍ୟମ ଜାରି ରଖିଥିବାବେଳେ ପଟିଦାର ଆନ୍ଦୋଳନର ପ୍ରମୁଖ ଯୁବନେତା ହାର୍ଦ୍ଦିକ୍‌ ପଟେଲ ନିଜସ୍ୱ ଶୈଳୀରେ ନିଜ ଅସ୍ଥିତ୍ୱ ଜାହିର କରି ଚାଲିଛନ୍ତି। ପୂର୍ବରୁ ମହାଟୋର ବିଜେପିକୁ ହଟାଇବା ଲାଗି ଚୋର କଂଗ୍ରେସକୁ ସମର୍ଥନର ହାତ ବଢ଼ାଇବାକୁ କହିଥିବା ହାର୍ଦ୍ଦିକ୍‌ ଆଜି ଟ୍ଵିଟ୍‌ ମାଧ୍ୟମରେ କଂଗ୍ରେସ୍‌କୁ ଚେତାବନୀ ଦେଇଛନ୍ତି। ନଭେମ୍ବର ୩ ସୁଦ୍ଧା ପଟିଦାର ସଂରକ୍ଷଣ ବାବଦରେ ସ୍ପଷ୍ଟ ନକରାଇଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କଂଗ୍ରେସକୁ ସତର୍କ କରାଇ ଦେଇଛନ୍ତି।

ଏକ ପଟିଦାର ସଂଖ୍ୟାଗରିଷ୍ଠ ଅଞ୍ଚଳରେ ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ଦଳ ଆସନ୍ତା ୩ ତାରିଖରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବରାଛା ସ୍ଥିତ ଜଳ କ୍ରାନ୍ତି ମୈଦାନରେ ଏକ ସାର୍ବଜନିକ ବୈଠକର ଆୟୋଜନ କରୁଛି। ଏଥିରେ ହାର୍ଦ୍ଦିକ୍‌ ଉପସ୍ଥିତ ରହିବା ଲାଗି କଂଗ୍ରେସ ଚେଷ୍ଟା ଚଳାଇଛି। ଅନ୍ୟପକ୍ଷରେ, ନଭେମ୍ବର ୩ ସୁଦ୍ଧା ପଟିଦାର ସଂରକ୍ଷଣ ବାବଦରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାର୍ଦ୍ଦିକ ଦାବି କରିଛନ୍ତି। ନଚେତ୍‌ ଗତବର୍ଷ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପରି ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ସେ ଟ୍ଵିଟ୍‌ ମାଧ୍ୟମରେ ଚେତାଇଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୮ରେ ପଟିଦାର ନେତାମାନଙ୍କୁ ପ୍ରଶଂସିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେଇଥିଲେ। ତେବେ ସମାବେଶରେ ଅମିତ ଭାଷଣ ଦେବା ଅବସରରେ ହାର୍ଦ୍ଦିକଙ୍କ ଉପରେ ଗର୍ଜିିବାରୁ ପଟିଦାର ଅନାମତ ଆନ୍ଦୋଳନ ସମିିତିର ସଦସ୍ୟମାନେ ଚୌକି ଫିଙ୍ଗି କାର୍ଯ୍ୟକ୍ରମକୁ ଭଣ୍ଡୁର କରିଦେଇଥିଲେ। ସୁତରାଂ ରାହୁଲଙ୍କ ଏହି ୩ ତାରିଖ ସମାବେଶ ପୂର୍ବରୁ କଂଗ୍ରେସ ପକ୍ଷରୁ ପଟିଦାର ସଂରକ୍ଷଣ ସମ୍ପର୍କରେ ସ୍ପଷ୍ଟ ନକଲେ ରାହୁଲଙ୍କୁ ଅନୁରୂପ ଭାବେ ହଟହଟା ହେବାକୁ ପଡ଼ିବ ବୋଲି ହାର୍ଦ୍ଦିକ ପରୋକ୍ଷରେ ଧମକ ଦେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର