କଂଗ୍ରେସରେ ଯୋଗଦେଲେ ହାର୍ଦ୍ଦିକ ପଟେଲ୍‌, ଉପସ୍ଥିତ ଥିଲେ ରାହୁଲ-ପ୍ରିୟଙ୍କା ଗାନ୍ଧୀ

ଅହମଦାବାଦ: ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ମଙ୍ଗଳବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସରେ ଯୋଗ ଦେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାର୍ଦ୍ଦିକଙ୍କୁ ସ୍ୱାଗତ କରିଛନ୍ତି। ଗୁଜୁରାଟର ରାଜଧାନୀ ଗାନ୍ଧୀନଗର ଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକରେ ହାର୍ଦ୍ଦିକ କଂଗ୍ରେସରେ ଯୋଗଦେଇଛନ୍ତି। ବୈଠକରେ କଂଗ୍ରେସର ଉତ୍ତରପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

କଂଗ୍ରେସର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି, ହାର୍ଦ୍ଦିକ ପଟେଲ ପଶ୍ଚିମ ଗୁଜୁରାଟର ଜାମନଗର ଲୋକସଭା ଆସନରୁ ଆଗାମୀ ନିର୍ବାଚନରେ ଲଢ଼ିବେ। ଏହି ଅଂଚଳରେ ୨୦୧୫-୧୬ରେ ପାଟିଦାର ଆନ୍ଦୋଳନ ଅଧିକ ସକ୍ରିୟ ହୋଇଥିଲା।

କଂଗ୍ରେସରେ ଯୋଗଦେବା ପରେ ହାର୍ଦ୍ଦିକ କହିଛନ୍ତି, ଆମେ ଚୋରଙ୍କ ବିରୋଧରେ ନିର୍ବାଚନ ଲଢ଼ିବୁ। ପଟେଲ ନିଜେ ଘୋଷଣା କରିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ସେ ଜାମନଗର ଆସନରୁ ଲଢ଼ିବେ। ଦଳର ନିର୍ଦ୍ଦେଶ ଅନୁଯାୟୀ କାମ କରିବି। ଦେଶର ୧୨୫ କୋଟି ଜନତାଙ୍କ ସେବା କରିବା ଉଦ୍ଦେଶ୍ୟରେ ମୁଁ ଏଭଳି ପଦକ୍ଷେପ ନେଇଛି ବୋଲି ପଟେଲ କହିଛନ୍ତି। ସୂଚନାଯୋଗ୍ୟ ବର୍ତ୍ତମାନ ଜାମନଗର ଲୋକସଭା ଆସନରୁ ବିଜେପି ନେତ୍ରୀ ପୁନମବେନ ମାଦାମ ସାଂସଦ ଅଛନ୍ତି।

ସମ୍ବନ୍ଧିତ ଖବର