ଗୁଜରାଟ: ନୀତିନ ପଟେଲଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କଲେ ହାର୍ଦ୍ଦିକ

ପାଟିଦାର ନେତା କହିଲେ, ୧୦ଜଣ ବିଜେପି ବିଧାୟକ ଆଣ, ଭଲ ପଦ ମିଳିବ

ଅହମଦାବାଦ: ଭାରତୀୟ ଜନତା ପାର୍ଟି ଗୁଜରାଟରେ ସରକାର ଗଢ଼ିବାର ୩ ଦିନ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ପାଟିଦାର ଅନାମତ ଆନ୍ଦୋଳନ ସମିତିର ଆବାହକ ହାର୍ଦ୍ଦିକ ପଟେଲ ମୁଣ୍ଡ ପୁରାଇଛନ୍ତି। ହାର୍ଦ୍ଦିକ ପଟେଲ ରାଜନୈତିକ ବିବାଦର ସୁଯୋଗ ନେଇ ନୀତିନ ପଟେଲଙ୍କୁ ନିମନ୍ତ୍ରଣ କରିଛନ୍ତି। ହାର୍ଦ୍ଦିକ ପଟେଲ କହିଛନ୍ତି, ଯଦି ବିଜେପିରେ ନୀତିନଙ୍କ ସମ୍ମାନ ନାହିଁ, ତେବେ ସେ କଂଗ୍ରେସରେ ଯୋଗ ଦେଇପାରିବେ।

ପାଟିଦାର ନେତା କହିଛନ୍ତି, ନୀତିନ ପଟେଲଙ୍କ ପାଇଁ କଂଗ୍ରେସ ପାର୍ଟିରେ ଆଲୋଚନା କରିବେ।  ତାଙ୍କୁ ଯଥାଯୋଗ୍ୟ ସ୍ଥାନ ମିଳିବ। ହାର୍ଦ୍ଦିକ କହିଛନ୍ତି ‘ଯଦି ନୀତିନ ଭାଇ ୧୦ଜଣ ବିଧାୟକଙ୍କ ସହିତ ବିଜେପି ଛାଡନ୍ତି, ତା’ହେଲେ ଆମେ କଂଗ୍ରେସରେ ଉପଯୁକ୍ତ ସ୍ଥାନ ଦେବା ପାଇଁ କଥାବାର୍ତ୍ତା କରିବୁ।’ ହାର୍ଦ୍ଦିକ ଏହି କଥା ବୋଟାଡରେ ପାଟିଦାର ଅନାମତ ଆନ୍ଦୋଳନ ସମିତିର ବୈଠକ ପୂର୍ବରୁ କହିଛନ୍ତି।

ସୂଚନାଯୋଗ୍ୟ ଗୁଜରାଟରେ ସରକାର ଗଢ଼ିବାର ୩ ତିନ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ମଧ୍ୟରେ ବିବାଦ ହୋଇଛି ବୋଲି ଖବର ଆସିଥିଲା। ଏହି ଘଟଣା ବିଧାୟକମାନେ ଜାଣି ପାରିଥିଲେ। ନିୟମିତ ଭାବରେ ୬ଥର ଗୁଜରାଟରେ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟିର ଏହି ସରକାରରେ ଶୀର୍ଷ ସ୍ତରର ୨ଜଣ ନେତାଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ବିତର୍କ ଚାଲିଛି।

ନୀତିନ ପଟେଲଙ୍କ ଅସନ୍ତୋଷ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଅହମଦାବାଦ ନଗର ନିଗମ ଦ୍ୱାରା ଆୟୋଜିତ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟନ ଅବସରରେ ଯେତେବେଳେ ଜାତୀୟ ଗଣମାଧ୍ୟମ ଦ୍ୱାରା ବିଭାଗ ବଣ୍ଟନକୁ ନେଇ ନୀତିନ ପଟେଲଙ୍କ ଅସନ୍ତୋଷ ସମ୍ପର୍କରେ ପଚରାଯାଇଥିଲା, ରୂପାନୀ କିଛି ଉତ୍ତର ରଖି ନଥିଲେ। ରୂପାନୀ କହିଥିଲେ, ଏବେ ଫୁଲ ସମ୍ପର୍କିତ ପ୍ରଶ୍ନ ପଚରାଯିବା ଦରକାର।

ସମ୍ବନ୍ଧିତ ଖବର