ହିମାଚଳ ବିଧାନସଭା ନିର୍ବାଚନ: ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି ବିଜେପି, କଂଗ୍ରେସ

ନୂଆଦିଲ୍ଲୀ: ଗୁଜରାଟ୍‌ ଏବଂ ହିମାଚଳ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ଅଭିଯାନ ଜୋର୍‌ଦାର ହୋଇଛି। ଭୋଟ୍‌ ହାତେଇବା ଲାଗି ଉଭୟ ଦଳ ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳ ଘୋଷଣା ହେବ ଡିସେମ୍ବର ୧୮ରେ। କୃଷକ ଭୋଟରଙ୍କୁ ଖୁସି କରିବାଲାଗି କଂଗ୍ରେସ ଫସଲ ସୁରକ୍ଷା କ୍ଷେତ୍ରରେ ୯୦ ପ୍ରତିଶତ ସବ୍‌ସିଡି ଦେବା ସହ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇଦେବ ଏବଂ ପଞ୍ଚାୟତ ପଦ୍ଧତିରେ କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହାବାଦ୍‌ ସମସ୍ତ ଗ୍ରାମକୁ ଉନ୍ନତ ସଂଯୋଗ ମାର୍ଗ ଦିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ବିଜେପି ୨୦୨୨ ସୁଦ୍ଧା କୃଷକମାନଙ୍କ ରୋଜଗାର ଦୁଇଗୁଣ କରିବା ଏବଂ ଜଙ୍ଗଲ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ସୁବିଧା ଯୋଗାଇବା ପ୍ରତିଶ୍ରୁତି ଦେଇଛି। ଯୁବବର୍ଗଙ୍କୁ ସମର୍ଥନ ପାଇବା ଲାଗି ବିଜେପି ଦକ୍ଷତା ବିକାଶ ବୃଦ୍ଧି ଦିଗରେ ଗୁରୁତ୍ୱଦେବା ସହ ପର୍ଯ୍ୟାପ୍ତ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ଅନ୍ୟପକ୍ଷରେ କଂଗ୍ରେସ ଆସନ୍ତା ୫ବର୍ଷ ମଧ୍ୟରେ ଦେଢଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ୫୦,୦୦୦ ବିଦ୍ୟାର୍ଥୀଙ୍କୁ ଲ୍ୟାପ୍‌ଟପ୍‌ ଯୋଗାଇ ଦେବ ବୋଲି ଘୋଷଣା କରିଛି । ବିଜେପି ମଧ୍ୟ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାଗଣା ଓ୍ଵାଇଫାଇ ଏବଂ ଲ୍ୟାପଟପ୍‌ ଯୋଗାଇଦେବ ବୋଲି କହିଛି। ଦୁର୍ନୀତି ନିବାରଣ କ୍ଷେତ୍ରରେ ବିଜେପି ଲୋକାୟୁକ୍ତ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିବାବେଳେ କଂଗ୍ରେସ ମଧ୍ୟ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନେବ ବୋଲି ଘୋଷଣା କରିଛି । ରାଜ୍ୟରେ ମହିଳା ଭୋଟରଙ୍କୁ ହାତେଇବା ଲାଗି କଂଗ୍ରେସ ସବୁ ଜିଲ୍ଲାରେ କର୍ମୀଜୀବୀ ମହିଳା ହଷ୍ଟେଲ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିବାବେଳେ ପିତୃହୀନ ଝିଅମାନଙ୍କ ବିବାହ ଲାଗି ବିବାହ ଅନୁଦାନକୁ ୧ ଲକ୍ଷକୁ ବୃଦ୍ଧି କରିଛି। ଅନ୍ୟପକ୍ଷରେ ବିଜେପି ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ପାଇଁ ‘ଗୁଡ଼ିଆ ଯୋଜନା’ ଆରମ୍ଭ କରିବା ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର