ମାୟାବତୀ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବି: ଅଜିତ ଯୋଗୀ

ରାୟପୁର: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପନ କରାଯିବ। ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବି ବୋଲି ଅଜିତ ଯୋଗୀ ଗଣମାଧ୍ୟମକୁ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ବହୁଜନ ସମାଜ ପାର୍ଟି ମୁଖ୍ୟ ଜଣେ ଏପରି ମହିଳା ଯେ, ୪ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ମାୟାବତୀଙ୍କ ଯୋଗ୍ୟତା ରହିଛି। କାରଣ ମାୟାବତୀ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ ଓ ତାଙ୍କ ପାଖରେ କ୍ଷମତା ଅଛି।

ମଧ୍ୟପ୍ରଦେଶ ଠାରୁ ଅଲଗା ହେବା ପରେ ଅଜିତ ଯୋଗୀ (୭୨) ହୋଇଥିଲେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକାଳ ଶେଷ ହେବା ପରେ ଛତିଶଗଡ଼ରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ କ୍ଷମତାକୁ ଫେରି ନାହିଁ। ଏଠାରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ରମଣ ସିଂହ ୧୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଅଛନ୍ତି। ଦଳରେ ଅଶାନ୍ତି ଓ ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାକୁ ଫେରିପାରୁ ନାହିଁ। ଯୋଗୀ ୨୦୧୬ରେ କଂଗ୍ରେସ ଛାଡି ଜନତା କଂଗ୍ରେସ ଛତିଶଗଡ଼ ଗଠନ କରିଥିଲେ।

ଛତିଶଗଡ଼ର ୯୦ ବିଧାନସଭା ଆସନ ପାଇଁ ୨ଟି ପର୍ଯ୍ୟାୟରେ ନଭେମ୍ବର ୧୨ ଓ ୨୦ରେ ମତଦାନ ହେବ। ବର୍ତ୍ତମାନ ବିଧାନସଭାରେ କେବଳ ଜଣେ ହେଉଛନ୍ତି ବହୁଜନ ସମାଜ ପାର୍ଟିରୁ ବିଧାୟକ। ବର୍ଷ ୨୦୧୩ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟିକୁ ୪.୨୭ ପ୍ରତିଶତ ଭୋଟ ମିଳିଥିଲା।

ସମ୍ବନ୍ଧିତ ଖବର