ଇଣ୍ଡିଆ ଟୁଡେ ଏକ୍‌ଜିଟ୍‌ ପୋଲ : କଂଗ୍ରେସକୁ ଫାଇଦା, ବିଜେପି ହାତରୁ ଖସିବ ରାଜସ୍ତାନ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ୫ଟି ରାଜ୍ୟର ବିମାନସଭା ନିର୍ବାଚନ ଶେଷ ହୋଇଛି। ଆଜି ସଂଧ୍ୟାରେ ମତଦାନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା  ଓ ମାର୍କେଟିଂ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଫଳାଫଳ ପୂର୍ବାନୁମାନ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ ଯେଉଁ ସଂକେତ ମିଳିଛି ତାହା ସୂଚିତ କରୁଛି କି କେନ୍ଦ୍ରରେ ଶାସନରେ ଥିବା ବିଜେପି କ୍ଷତିରେ ରହିବ। ବିଜେପି ହାତରୁ ୨ଟି ରାଜ୍ୟରେ ଶାସନରୁ ଫେରିବା ଏକ ପ୍ରକାର କାଠିକାର ପାଠ ହୋଇଯିବ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ   ଅମିତ ଶାହଙ୍କ ଯୋଡ଼ି  ଲାଗି ଏହା ନିଶ୍ଚୟ ଏକ ‘ରାଜନୈତିକ ରୋକ୍‌’ହେବ ବୋଲି ବିଶ୍ଲେଷକ ମତ ଦେଉଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଲାଗି ଉତ୍ସାହଜନକ ସାବ୍ୟସ୍ତ୍ୟ ହୋଇପାରେ ୫ ରାଜ୍ୟର ବିଧାନସଭା  ନିର୍ବାଚନର ଫଳାଫଳ। ଇଣ୍ଡିଆ ଟୁଡେ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ, ରାଜସ୍ତାନରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଲାଭ କରିବ। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୯ରୁ ୧୪୧ ଆସନ ଜିତିବ ବୋଲି ସୂଚନା ମିଳିଛି। ତେଣେ ଶାସକ ବିଜେପି ୫୫ ରୁ ୭୨ ଆସନରେ ସୀମିତ ହେବା ସମ୍ଭାବନା ଦେଖା ଯାଇଛି।
ସେହିପରି କଂଗ୍ରେସ ପାଇଁ ଶୁଭ ସୂଚନା ମିଳିଛି ଛତିଶଗଡ଼ରୁ। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ୩ ପାଳି ଶାସନ କରିଥିବା ବିଜେପିକୁ ଭୋଟର ପୁଣିଥରେ ଗାଦନିସୀନ କରିବା ମିଜାଜରେ ନାହାନ୍ତି। ଏକ୍‌ଜିଟ୍‌  ପୋଲ୍‌ ଅନୁସାରେ, ଏଠାରେ କଂଗ୍ରେସ ୫୫ରୁ ୬୫ ଆସନ ଲାଭ କରିବା ଆକଳନ ହୋଇଥିବା ବେଳେ ବିଜେପି ୨୧ରୁ ୩୧କୁ ସଂକୁଚିତ ହେବ। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବାର ସ୍ପଷ୍ଟ ନ ଥିଲେ ବି ତାଗଡ଼ା ପ୍ରଦର୍ଶନ କରିବାର ସଂଙ୍କେତ ମିଳିଛି।
ମଧ୍ୟପ୍ରଦେଶରେ ଶାସକ ବିଜେପି ଓ  ବିରୋଧୀ କଂଗ୍ରେସ ଭିତରେ କଡା ଟକ୍କର ହେବ। ପରିସ୍ଥିତି ଏପରି ହେବ କି ଅଳ୍ପ କେତେକ ଆସନ ଲାଗି ବିଜେପି ହାତରୁ ଶାସନ ଡୋରି ଖସିବ ଓ କଂଗ୍ରେସ ଶାସନରେ ବସିବା ସ୍ଥିତି  ସୃଷ୍ଟି ହୋଇପାରେ। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ  ବିଧାନସଭାରେ ବିଜେପି ୧୦୨ ରୁ ୧୨୦ ଓ କଂଗ୍ରେସ ୧୦୪ ରୁ ୧୨୨ ଆସନ ପାଇବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି।
୨୦୧୮ ବିଧାନସଭା ନିର୍ବାଚନରେ ତେଲେଙ୍ଗନାରେ ଶାସନ ଡୋରୀ ଟିଆରଏସ୍‌ ହାତରେ ରହିବ ବୋଲି  ଫଳାଫଳ ପୂର୍ବାନୁମାନରୁ ସୂଚନା ମିଳିଛି। ସମୁଦାୟ ୧୨୦ ଆସନରୁ ଏଠାରେ ଟିଆର୍‌ଏସ୍‌ ୭୯ ରୁ ୯୧ ଆସନ ପାଇବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାଯାଇଛି। ଏଠାରେ ବିଜେପି ୧ରୁ ୩ ଓ କଂଗ୍ରେସ ୨୧ରୁ ୩୩ ଟି ଆସନ ପାଇବା ସୂଚନା ମିଳିଛି।
ସମ୍ବନ୍ଧିତ ଖବର