ପୁଣି ଏକାଠି ହେଲେ କଂଗ୍ରେସର ବିରୋଧୀ ଗୋଷ୍ଠୀ, ପ୍ରଭାରୀ କହିଲେ ବଦଳିବେନି ପିସିସି ସଭାପତି

ଭୁବନେଶ୍ବର: ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ । ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ କ୍ଷେତ୍ରରେ ଏବେ ଏହି କଥା ସତ ପ୍ରମାଣିତ ହୋଇଛି । କାରଣ କଂଗ୍ରେସର ପୁଣି ବାହାରିଛି ପୁରୁଣା ରୋଗ । ନିର୍ବାଚନ ପରେ ନିରଞ୍ଜନ ହଟାଓ ନାରା ନେଇ ଯେଉଁ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିଥିଲେ, ପଦ ଛାଡିବାକୁ ଯେଉଁମାନେ ନିରଞ୍ଜନଙ୍କୁ ବିରୋଧ କରୁଥିଲେ ଆଜି ପୁଣି ସେମାନେ କଂଗ୍ରେସ ଭବନ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ମେଳି କରିଥିଲେ ଏହି ଗୋଷ୍ଠୀ । ସାଂଗଠନିକ ସ୍ଥିତି ନେଇ କଂଗ୍ରେସ ଭବନରେ ଆଜି ୪ ଜିଲ୍ଳାର ସମୀକ୍ଷା ବୈଠକ ଚାଲିଥିବା ବେଳେ ପିସିସି ସଭାପତି ହଟାଓ ଦାବିରେ ବାହାରେ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ । ତା’ସହ ପିସିସି ସଭାପତିଙ୍କୁ ହଟାଇବାକୁ ନେଇ ସେମାନେ ଦାବି କରିଥିଲେ । କିନ୍ତୁ ପ୍ରଭାରୀ ଜିତେନ୍ଦ୍ର ସିଂ ପିସିସି ସଭାପତି ପରିବର୍ତ୍ତନ ହେବେନାହିଁ ବୋଲି ସିଧାସିଧା ଶୁଣାଇ ଦେଇଥିଲେ ।

ଖୁବଶୀଘ୍ର ସଂଗଠନର ଆମୂଳଚୂଳ ପରିବର୍ତ୍ତନ କରାଯିବ । ଆଗାମୀ ଦିନରେ ରାଜ୍ୟରେ ପୁଣି ଥରେ କଂଗ୍ରେସର ସ୍ଥିତିକୁ, କଂଗ୍ରେସର ମୂଳଦୁଆକୁ ଟାଣ କରିବାକୁ ସାଙ୍ଗଠନିକ ପରିବର୍ତ୍ତନ ହେବ ମାତ୍ର ବଦଳିବେନି ପିସିସି ସଭାପତି ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ତେବେ କଂଗ୍ରେସ ଭବନରେ ଗତ ନିର୍ବାଚନର ଫଳାଫଳ ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ବୈଠକରେ ଆଲୋଚନା ଚାଲିଥିବା ବେଳେ ଏଭଳି ବିରୋଧ ଦେଖିବାକୁ ମିଳିଥିଲା । ଗତ କିଛି ଦିନ ପୂର୍ବରୁ ଅର୍ଥାତ ଗତ ବର୍ଷ ନଭେମ୍ବର ମାସରେ ପିସିସି ସଭାପତି ପରିବର୍ତ୍ତନ କରି ନିରଞ୍ଜନଙ୍କ ସ୍ଥାନରେ ଜଣେ ଯୁବନେତାଙ୍କୁ ବସାଯାଉ ବୋଲି ଦାବି ହେଉଥିଲା । ଆଉ ଆଜି ସେହି ଅସନ୍ତୋଷର କୁହୁଳା ନିଆଁ ପ୍ରତିବାଦରେ ପରିଣତ ହୋଇଥିଲା ।

ସମ୍ବନ୍ଧିତ ଖବର