ଜୟରାମ ଠାକୁର ହିମାଚଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ସିମଳା: ହିମାଚଳ ପ୍ରଦେଶରେ ବହୁମତ ହାସଲ କରିଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ ହାରିଯାଇଥିବାରୁ ତାଙ୍କ ବଦଳରେ ଦଳ ଜୟରାମ ଠାକୁରଙ୍କୁ ଏହି ପାହାଡ଼ୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏପରିକି ଆସନ୍ତାକାଲି ଦଳର କେନ୍ଦ୍ରୀୟ ନେତୃମଣ୍ଡଳୀ ଏ ସମ୍ପର୍କରେ ଔପଚାରିକ ଭାବେ ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନରେ ଜଣେ ହାରିଯାଇଥିବା ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପୁଣି ଉପନିର୍ବାଚନ କରାଇବା ସପକ୍ଷରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନାହାନ୍ତି। ଏହାଦ୍ୱାରା ଏକ ଅସୁସ୍ଥ ବାତାବରଣ ସୃଷ୍ଟିହେବା ସହ ଲୋକଙ୍କର ମଧ୍ୟ ଭରସା ତୁଟିଯିବ ବୋଲି ନେତାମାନେ ବିଚାର କରୁଛନ୍ତି। ସୁତରାଂ ବିକଳ୍ପ ପ୍ରାର୍ଥୀ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହିମାଚଳପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଜେ ପି ନଡ୍ଡା ଏବଂ ଏଥରକୁ ମିସାଇ ରାଜ୍ୟ ବିଧାନସଭାକୁ ପାଞ୍ଚ ଥର ପ୍ରତିନିଧିତ୍ୱ କରିଥିବା ଦଳର ପୁରୁଖା ନେତା ଜୟରାମ ଠାକୁରଙ୍କ ନାମ ବିଚାରକୁ ନିଆଯାଇଥିଲା। ଶେଷରେ ସିରାଜ ଆସନରୁ ଜିତିଥିବା ୫୨ ବର୍ଷୀୟ ଜୟରାମଙ୍କୁ ଆପାତତଃ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠାନ କରାଇବା ପାଇଁ ଦଳୀୟ ନେତୃମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏ ସମ୍ପର୍କରେ ଦଳର ଏକ ଔପଚାରିକ ବୈଠକ ପରେ ଜୟରାମଙ୍କ ନାମ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର