କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ: ବିକାଶ ଉପରେ ଧ୍ୟାନ ଦେବ ବିଜେପି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ୍‌ ମାଧ୍ୟମରେ କର୍ଣ୍ଣାଟକର ବିଜେପି କର୍ମୀମାନଙ୍କୁ ସମ୍ବୋଧନ କରିଛନ୍ତି। ଏଥିସହ ଧର୍ମ ଏବଂ ଜାତି ମାମଲାକୁ ବ୍ୟବହାର କରି ନିର୍ବାଚନ ଲଢୁଥିବା ବ୍ୟକ୍ତିମାନଙ୍କୁ ସେ ସମାଲୋଚନା ମଧ୍ୟ କରିଛନ୍ତି।

କର୍ଣ୍ଣାଟକସ୍ଥିତ ଦଳର ପ୍ରାର୍ଥୀ, ଅଫିସ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ମୋଦି କହିଲେ: ଯେଉଁମାନେ ଧର୍ମ ଓ ଜାତି ମାମଲାରେ ଲଢ଼ନ୍ତି, ନିର୍ଦ୍ଦିଷ୍ଟ ଜାତଗୁଡ଼ିକୁ ଲଲିପପ୍‌ ଦେଇଚାଲନ୍ତି ଓ ଏହି ସମୀକରଣ ବଦଳାଇ ଚାଲନ୍ତି। ସେମାନେ ତାଙ୍କୁ ନିର୍ବାଚନରେ ବ୍ୟବହାର କରିବା ପରେ ଭୁଲି ଯାଆନ୍ତି।

ରାଜ୍ୟରେ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ, ବିଜେପି କର୍ଣ୍ଣାଟର ଉନ୍ନତି ପାଇଁ ତ୍ରିମୁଖୀ ଆଜେଣ୍ଡା ଆଣିଛି। ତାହା ହେଲା- ବିକାଶ, ଦ୍ରୁତ-ଗତି ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି।

କଂଗ୍ରେସକୁ ଆକ୍ରମଣ ମୋଦି କହିଲେ, କଂଗ୍ରେସର ଭୁଲ୍‌କାମ ଓ ପାପ ସହ ଭାରତୀୟ ରାଜନୀତିର ମୁଖ୍ୟସ୍ରୋତ ସମ୍ପୃକ୍ତ। କଂଗ୍ରେସୀ ସଂସ୍କୃତିରୁ ମୁକ୍ତ ନ ହେବା ଯାଏଁ ଦେଶର ରାଜନୀତି ନିର୍ମଳ ହୋଇ ପାରିବ ନାହିଁ।

ସେ ଆହୁରି କହିଲେ: ସଂଗଠନର ସାମର୍ଥ୍ୟ ଏବଂ ଲୋକଙ୍କ ବିଶ୍ୱାସ ଜିଣି ବିକାଶ ଭିତ୍ତିରେ ଆମେ ନିର୍ବାଚନ ଜିଣିବାକୁ ଚାହୁଁଛୁ। ସର୍ବସାଧାରଣଙ୍କୁ ବିଭ୍ରାନ୍ତ କରି ଆମେ ନିର୍ବାଚନ ଜିଣିବାକୁ ଚାହୁଁ ନାହୁଁ।
ମେ ୧୨ ତାରିଖ ଦିନ କର୍ଣ୍ଣାଟକରେ ୨୨୫ ଆସନ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ମେ ୧୫ ତାରିଖ ଦିନ ଭୋଟ ଗଣତି ହେବ।

ମେ ପହିଲା ଦିନ ପ୍ରଧାନମନ୍ତ୍ରୀ ଉଦୁପି ଗସ୍ତରେ ଯାଇ ଶ୍ରୀକୃଷ୍ଣ ମଠ ପରିଦର୍ଶନ କରିବା ପରେ ଏକ ବିଶାଳ ରାଲିରେ ଭାଷଣ ଦେବେ।

ସମ୍ବନ୍ଧିତ ଖବର