କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ସମସ୍ୟା ଉପୁଜିଥିବା କଥାକୁ ଅସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ; ସବୁ ଠିକ ଅଛି ବୋଲି କହିଲେ

ବେଙ୍ଗାଲୁର: ମଙ୍ଗଳବାର ଦୁଇ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର  ବିପଦରେ ରହିଛି ବୋଲି ଉଠିଥିବା କଥାକୁ ଅସ୍ୱୀକାର କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସେ କହିଛନ୍ତି କି, ‘ଆମ ମେଣ୍ଟ ସୁଚାରୁ ରୂପେ ଚାଲୁଛି। ମୁଁ  କେବେ ଚିନ୍ତାରେ ନ ଥିଲି, ଏବେ ବି ନାହିଁ । ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଖୁସିରେ ରୁହନ୍ତୁ।’

ରାଜ୍ୟରେ ଚାଲିଥିବା ରାଜନୈତିକ ସଂକଟ ସଂପର୍କରେ କର୍ଣ୍ଣାଟକ କୁମାରସ୍ୱାମୀ କହିଛନ୍ତି କି ମୁମ୍ବାଇର ହୋଟେଲ୍‌ରେ ରହିଥିବା କଂଗ୍ରେସର ବିଧାୟକମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେ ଆହୁରି ବି ଦମ୍ଭର ସହ କହିଛନ୍ତି କି ସେ ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗରେ ଅଛନ୍ତି, ଏପରିକି ଯେଉଁ ବିଧାୟକଙ୍କ ସହ ଗଣମାଧ୍ୟମ ଯୋଗାଯୋଗ କରିପାରୁନାହିଁ। ବିଧାୟକମାନେ ଖୁବ୍‌ ଶୀଘ୍ର ଫେରିବେ ବୋଲି କୁମାରସ୍ୱାମୀ ପ୍ରକାଶ କରଛନ୍ତି।

ପୂର୍ବରୁ ଦୁଇ ସ୍ୱାଧୀନ ବିଧାୟକ କର୍ଣ୍ଣାଟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ଜେଡିଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବାପା ଏଚ୍‌ଡି ଦେବେଗୌଡ଼ା କହିଥିଲେ କି ‘କର୍ଣ୍ଣାଟକ ସରକାର ସଙ୍କଟରେ ଥିବା କଥା କେବଳ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରଚାର ମାତ୍ର।  ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ସଂପର୍କରେ ବିଶେଷ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ।’

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ବିଜେପି ସରକାର ଗଠନ କରିବା ପ୍ରୟାସ ଦଳ ପକ୍ଷରୁ ଆରମ୍ଭ ହୋଇଛି। ସର୍ବାଧିକ ବିଧାୟକଙ୍କୁ ନିଜ ପକ୍ଷକୁ ନେଇ ସମର୍ଥନ ପାଇବା ଯୋଜନାରେ ବିଜେପି ୪ ଜଣ କଂଗ୍ରେସ ବିଧାୟକ ଓ ୨ ଜଣ ସ୍ୱାଧୀନ ବିଧ୍ୟାୟକଙ୍କୁ ମୁମ୍ବାଇର ଏକ ପଞ୍ଚ ତାରିକା ହୋଟେଲ୍‌ରେ ନେଇ ରଖିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର