କଂଗ୍ରେସକୁ ଆଦୌ ଭୋଟ୍‌ ନ ଦେବାକୁ ନିବେଦନ କଲେ ଅରବିନ୍ଦ କେଜରିଓ୍ଵାଲ

ନୂଆଦିଲ୍ଲୀ:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଗତକାଲି ଜନସାଧାରଣଙ୍କୁ କଂଗ୍ରେସକୁ ଆଦୌ ଭୋଟ୍‌ ନ ଦେବାକୁ ନିବେଦନ କରିଥିଲେ। ଏଭଳି ଟିପ୍ପଣୀ ଅରବିନ୍ଦ ଏମିତି ଏକ ସମୟରେ ଦେଇଛନ୍ତି,ଯେଉଁ ସମୟରେ କଂଗ୍ରେସ ଓ ଆମ ଆଦ୍‌ମି ପାର୍ଟି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଛି।
କକ୍‌ରୋଲାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଭାରେ ଉଦ୍‌ବୋଧନ ଦେଇ ଅରବିନ୍ଦ କେଜରିଓ୍ଵାଲ୍‌ ଭାରତୀୟ ଜନତା ପାର୍ଟି ସପକ୍ଷରେ ବି ଭୋଟ୍‌ ନ ଦେବାକୁ ନିବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଦିଲ୍ଲୀର ବିକାଶ ଲାଗି ଏଠାକାର ସାତଜଣ ସାଂସଦ କିଛି କରିନାହାଁନ୍ତି। ତେବେ ଭାଜପା ଅପେକ୍ଷା କଂଗ୍ରେସକୁ ଅଧିକ ସମାଲୋଚନା କରିଥିଲେ ଆମ୍‌ ଆଦମି ପାର୍ଟି ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ସେ ଯୁକ୍ତି ଛଳରେ କହିଥିଲେ ଯେ ଯଦି ଦିଲ୍ଲୀର ଜନସାଧାରଣ କଂଗ୍ରେସକୁ ଭୋଟ୍‌ ଦେବେ,ତେବେ ନରେନ୍ଦ୍ର ମୋଦିଙ୍କ ସ୍ଥିତି ଅଧିକ ମଜଭୁତ୍‌ ହେବ। ଏଣୁ ନିଜ ନିଜର ଭୋଟ୍‌କୁ ନ ବାଣ୍ଟିବା ଲାଗି ସେ କହିଛନ୍ତି।ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଦିଲ୍ଲୀରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ମେଣ୍ଟ ହେବ ନାହିଁ।

ସମ୍ବନ୍ଧିତ ଖବର