କୋଟିଆ ପ୍ରସଙ୍ଗରେ ଘେରିଲା ବିଜେପି : ‘ଆନ୍ଧ୍ର ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଲୋଚନା କରନ୍ତୁ’

ଭୁବନେଶ୍ୱର : କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶା ସରକାର ତାଙ୍କର ଅଧିକାର ଜାହିର କରିବା ଓ ସେ ଅଂଚଳର ବିକାଶ କରି ସେଠାକାର ଅଧିବାସୀମାନଙ୍କ ମନରେ ଶ୍ରଦ୍ଧା, ସମ୍ମାନ ଓ ଆତ୍ମୀୟତା ସୃଷ୍ଟି କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି। ଏହାର ସୁଯୋଗ ନେଇ ପଡୋଶୀ ଆନ୍ଧ୍ର ସରକାର ସେଠାକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା କରି ଆସୁଛି ବୋଲି ବିଜେପି ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଲେ, ଏବେ ଅନ୍ତତଃ ରାଜ୍ୟ ସରକାଙ୍କ ନିଦ୍ରା ଭଙ୍ଗ ହେଉ। ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସେଠାକୁ ଯିିବା ସହିତ ବିକାଶର ସମୀକ୍ଷା କରିବା ଦରକାର। ସେଠାକାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦିଆଯିବା ଦରକାର।

ସେ କହିଲେ, ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖି ଖସିଯିବାରେ ଧୁରନ୍ଧର। ବିଶାଖାପାଟଣା ଜିଲ୍ଲାପାଳ ଏବଂ ଅନ୍ୟ ଅଫିସରମାନେ ଯେଭଳି ଅନୁପ୍ରବେଶ କରିଛନ୍ତି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ଦରକାର।

୧୯୭୭ରେ ତତ୍କାଳୀନ ଜନତା ପାର୍ଟି ସରକାରରେ ସେ ଆଇନ ମନ୍ତ୍ରୀ ଥିବା ବେଳେ ସୁପ୍ରିମକୋର୍ଟରେ ଦରଖାସ୍ତ ଦାଖଲ କରାଯାଇଥିଲା। ୨୦୦୦ ମସିହାରେ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ଆଇନ ବିଭାଗ ତାଙ୍କ ପାଖରେ ଥିବା ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜ୍‌ଙ୍କୁ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା ଓ ପ୍ରମାଣ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଥିଲା। । ଉତ୍କଳ ସମ୍ମିଳନୀର ତତ୍କାଳୀନ ସଭାପତି ଓ ବରିଷ୍ଠ ଓକିଲ ବସନ୍ତ ପାଣିଗ୍ରାହୀ ଓ ଜୟପୁରର ବରିଷ୍ଠ ଓକିଲ ଜେ.ସି.ନାୟକଙ୍କୁ ରାଜ୍ୟ ସରକାରଙ୍କ ଓକିଲ ଭାବେ ନିଯୁକ୍ତି ଦିଆଯାଇ କେସ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । କୋରାପୁଟ ଜିଲ୍ଲାପାଳଙ୍କ ରେକର୍ଡ ରୁମ, ବୋର୍ଡ ଅଫ ରେଭେନ୍ୟୁ ରେକର୍ଡ ରୁମ ଓ ଜୟପୁର ରାଜାଙ୍କ ରେକର୍ଡ଼ ରୁମରେ ଥିବା ବହୁ ମୂଲ୍ୟବାନ ପ୍ରମାଣ ଓ ସେ ସଂକ୍ରାନ୍ତୀୟ ଅନେକ ଆଫିଡେଭିଟ୍‌ କମିସନଙ୍କ ପାଖରେ ଦାଖଲ ହୋଇଥିଲା ।

ମାତ୍ର ଦୁଇଟି ରାଜ୍ୟର ସୀମା ବିବାଦ ଉପରେ ବିଚାର କରିବା ତାଙ୍କ କ୍ଷମତାର ପରିସରଭୁକ୍ତ ନୁହେଁ ଏବଂ ଏ ସଂପର୍କରେ କେବଳ ପାର୍ଲାମେଣ୍ଟ ନିଷ୍ପତ୍ତି ନେଇପାରିବ ବୋଲି କହି ୩୦/୦୩/୨୦୦୬ରେ ସୁପ୍ରିମକୋର୍ଟ ମକଦ୍ଦମାକୁ ଖାରଜ କରିଥିଲେ । ତା ଉପରେ ରିଭିଉ ଓ କିଉରେଟିଭ ପିଟିସନ ମଧ୍ୟ ଖାରଜ ହୋଇଛି । ମାତ୍ର ୨/୧୨/୧୯୬୮ ତାରିଖରେ ଏହି ଗ୍ରାମପୁଞ୍ଜ ଉପରେ ସ୍ଥାୟୀ ନିଷେଧାଦେଶ ସୁପ୍ରିମକୋର୍ଟ ଜାରି କରିଥିବାରୁ ଆନ୍ଧ୍ର ସରକାର ମନମୁଖୀ ଭାବରେ ଏଠାରେ କୌଣସି କାମ କରିପାରିବ ନାହିଁ ।

ତେଣୁ ସୁପ୍ରମକୋର୍ଟରେ ମକଦ୍ଦମା ଖାରଜ ହେବା ସତ୍ତ୍ୱେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡିଶାର ଅଧିକାର ପୂର୍ବବତ ଅବ୍ୟାହତ ରହିଛି । ଆଇନ ଏବଂ ନିର୍ଦ୍ଦେଶ ସଂପର୍କରେ ଅଜ୍ଞ ଥିବା କାରଣରୁ ରାଜ୍ୟ ସରକାର ନିଜକୁ ବର୍ତମାନ ଅସହାୟ ମନେ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର