ତାରା-କୃଷ୍ଣ ବିବାଦ ତୁଟୁନି : ଗ୍ୟାରେଜ୍‌ରେ ବୈଠକ ଖବରକୁ ଅସ୍ୱୀକାର

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ସେଲ୍‌ ବିଭାଗ ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନର ଗ୍ୟାରେଜ୍‌ରେ ଅନୁସୂଚିତ ଜନଜାତି ସେଲ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଜୟପୁର କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ଚକ୍ରାନ୍ତ ଯୋଗୁଁ ତାଙ୍କୁ ପ୍ରଦେଶ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜନ କରିବାକୁ ଅନୁମତି ଦିଆଯାଇନଥିଲା। ଆଜି ଏଭଳି ଖବର ବିଭିନ୍ନ ମହଲରେ ପ୍ରସାରିତ ହେବା ଫଳରେ କଂଗ୍ରେସରେ ଚାଲିଥିବା ତାରା-କୃଷ୍ଣ ବିବାଦ ଆହୁରି ତେଜି ଉଠିଥିଲା। ତେବେ ଏଭଳି ଖବରକୁ ଖୋଦ୍‌ ସଗରିଆ ନିଜେ ଅସ୍ୱୀକାର କରିଛନ୍ତି।

ଏକ ସ୍ପଷ୍ଟୀକରଣ ଯୋଗେ ବିଧାୟକ ଶ୍ରୀ ସଗରିଆ କହିଛନ୍ତି, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ବୈଠକ ଆୟୋଜନ କରିବାକୁ ଦିଆଗଲା ନାହିଁ ଖବର ଠିକ୍‌ ନୁହେଁ। କଂଗ୍ରେସ କାର୍ଯ୍ୟାଳୟର ଅନୁସୂଚିତ ସେଲ୍‌ ମରାମତି ଚାଲିଥିବାରୁ ସେ ତାଙ୍କ ନିଜ ଘରେ ସେଲ୍‌ର ବୈଠକ କରାଇଥିଲେ। କିନ୍ତୁ ତାହା ତାଙ୍କ ଗ୍ୟାରେଜ୍‌ରେ କରାଯାଇଥିବା ନେଇ ଯେଉଁଭଳି ପ୍ରଚାର କରାଗଲା, ତାହା ମଧ୍ୟ ଠିକ୍‌ ନୁହେଁ। ସେହି ବୈଠକ ପ୍ରକୋଷ୍ଠରେ ଟାଇଲ୍‌ ଫ୍ଲୋରିଙ୍ଗ ହୋଇଛି। ବସବାସ ପାଇଁ ସେ ପ୍ରକୋଷ୍ଠ ଉପଯୋଗୀ। ତାଙ୍କ ନିର୍ବାଚନମଣ୍ଡଳୀରୁ ଲୋକେ ଆସିଲେ, ସେମାନେ ସେଠାରେ ରହିଥାନ୍ତିି। ଏ ପଟେ, କଂଗ୍ରେସ ଦଳରେ କୌଣସି ବିଭେଦ ନାହିଁ। ଦଳକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆଲୋଚନା ଓ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ସଗରିଆ କହିଛନ୍ତି। ସେପଟେ ଶ୍ରୀ ବାହିନୀପତି କହିଛନ୍ତିି ଯେ ସେ କେବେ ଦଳୀୟ ସଭ୍ୟଙ୍କ ବିରୁଦ୍ଧରେ କୁହନ୍ତିନାହିଁ। ଯଦି କଂଗ୍ରେସ କାର୍ଯ୍ୟାଳୟରେ ସଗରିଆଙ୍କୁ ବୈଠକ କରିବାକୁ ଅନୁମତି ମିଳିଲାନି, ସେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଚାରିବା ଦରକାର।

ସମ୍ବନ୍ଧିତ ଖବର