ଆପ୍‌ ଛାଡ଼ିଥିବା ନେତାଙ୍କୁ ଫେରାଇ ଆଣିବାକୁ କୁମାର ବିଶ୍ୱାସଙ୍କ ଆହ୍ଵାନ

ନୂଆଦିଲ୍ଲୀ : ଆପ୍‌ର ବରିଷ୍ଠ ନେତା କୁମାର ବିଶ୍ୱାସ ରବିବାର ଆପ୍‌ର ନୂଆ ଭର୍ସନ ବା ଆପ୍‌-୨ ଗଢ଼ିବା ଲାଗି ଆହ୍ଵାନ ଦେଇଛନ୍ତି। ପୂର୍ବରୁ ଦଳ ଛାଡ଼ି ଚାଲିଯାଇଥିବା ପ୍ରଶାନ୍ତ ଭୂଷଣ ଏବଂ ଯୋଗେନ୍ଦ୍ର ଯାଦବଙ୍କ ଭଳି ନେତାଙ୍କୁ ଫେରାଇ ଆଣି ଏକଜୁଟ କରିବା ଲାଗି ସେ ମତ ଦେଇଛନ୍ତି। ଦଳ ଏହାର ମୂଳ ମୂଲ୍ୟବୋଧରୁ ଦୂରେଇ ଯାଉଥିବାରୁ ୫ ବର୍ଷ ତଳେ ଧାର୍ଯ୍ୟ କରାଯାଇଥିବା ମୂଳ ମୂଲ୍ୟବୋଧ ଉପରେ କାର୍ଯ୍ୟ କରିବାକୁ କୁମାର ବିଶ୍ୱାସ ଏଠାରେ ଦଳର କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି। କଂଗ୍ରେସ ଓ ବିଜେପିର ବିକଳ୍ପ ଭାବେ ଉଭା ହେବା ପାଇଁ ଦଳରେ ଆଉ ଏକ ଆଣ୍ଟି ଭାଇରସ୍‌ର ଆବଶ୍ୟକତା ରହିଥିବା ସେ କହିଛନ୍ତି। ୨୦୧୧-୧୨ରେ ଦଳର ଦୁର୍ନୀତି ବିରୋଧୀ ରାଲିରେ ୫ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିବା ବେଳେ ନିକଟରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ୫ ହଜାରରୁ କମ୍‌ ଲୋକ ଯୋଗଦେଇଥିଲେ। ଏନେଇ ଆମକୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର