ଉତ୍ତର ପ୍ରଦେଶରେ ବିଜେପି-ଅପନା ଦଲ୍‌ ମେଣ୍ଟ: ମିର୍ଜାପୁର ଆସନରୁ ପୁଣି ଲଢ଼ିବେ ଅପୁପ୍ରିୟା ପଟେଲ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶୁକ୍ରବାର ଉତ୍ତର ପ୍ରଦେଶରେ ଭାରତୀୟ ଜନତା ଦଳ ଏବଂ ଅପନା ଦଲ୍‌ (ଏସ୍‌) ମଧ୍ୟରେ ମେଣ୍ଟ ହୋଇଛି। ଅପନା ଦଲ୍‌ ଉତ୍ତର ପ୍ରଦେଶରେ ୨ଟି ଆସନରେ ଲୋକସଭା ନିର୍ବାଚନ ଲଢ଼ିବ। ମିର୍ଜାପୁର ଆସନ ଅପନା ଦଲ କୋଟାରେ ଅଛି ଏବଂ ଏଠାରୁ ଅନୁପ୍ରିୟା ପଟେଲ ସାଂସଦ ଅଛନ୍ତି। ଏହି ଆସନ ପୁଣି ଥରେ ଅପନା ଦଲ୍‌କୁ ମିଳିଛି। ଅନ୍ୟ ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ। ଅନୁପ୍ରିୟା ପଟେଲ ଏବଂ ଅପନା ଦଲର ଅଧ୍ୟକ୍ଷ ଆଶିଷ ପଟେଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି। ସାକ୍ଷାତକାର ସମୟରେ ଅନୁପ୍ରିୟା ପଟେଲ ମିର୍ଜାପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଛି।

ଅମିତ ଶାହା ଏସଂପର୍କରେ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ପୁଣି ଥରେ ମୋଦି ସରକାର’ ସଂକଳ୍ପ ସହିତ ବିଜେପି-ଅପନା ଦଲ ମେଣ୍ଟ ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଏକାଠି ହୋଇ ଲଢ଼ିବ। ଅପନା ଦଲ ୨ଟି ଆସନରେ ନିର୍ବାଚନ ଲଢ଼ିବ। ଏଥିରୁ ଅନୁପ୍ରିୟା ପଟେଲଙ୍କୁ ମିର୍ଜାପୁର ପାଇଁ ଚୟନ କରାଯାଇଛି। ଦ୍ୱିତୀୟ ଆସନ ପାଇଁ ଉଭୟ ଦଳ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ପୁଣି ଥରେ ମିର୍ଜାପୁର ଆସନରୁ ନିର୍ବାଚନ ଲଢ଼ିବେ। ସେ ୨୦୧୪ ସାଧାରଣ ନିର୍ବାଚନରେ ୨ ଲକ୍ଷ ଭୋଟରେ ବିଜୟ ହାସଲ କରିଥିଲେ। ସେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ସମୁଦ୍ର ବିନ୍ଦଙ୍କୁ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଲଳିତେଶପତି ତ୍ରିପାଠୀଙ୍କୁ ମିର୍ଜାପୁରରେ ୩ୟ ସ୍ଥାନ ମିଳିଥିଲା।

ସମ୍ବନ୍ଧିତ ଖବର