ବିଜେପିରେ ମିଶିଲେ ଲୁଲୁ ପରିବାର, ଲୁଲୁ ସେନା

ଭୁବନେଶ୍ୱର : ଦୀର୍ଘ ଦଶନ୍ଧିର ସମ୍ପର୍କ ତୁଟାଇ ତଥା କଂଗ୍ରେସର ହାତ ଛା଼ଡି ଶେଷରେ ଆଜି ବିଜେପିରେ ସାମିଲ ହୋଇଛନ୍ତି, ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର ଓ ଲୁଲୁସେନା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନାଙ୍କ ସମେତ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ଓ ବହୁ କଂଗ୍ରେସ ନେତା ପଦ୍ମ ଦଳରେ ସାମିଲ ହୋଇଥିଲେ। ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ଲୁଲୁ ପରିବାର ଓ ଲୁଲୁ ସେନା ସମେତ ବିଜେପିରେ ଯୋଗ ଦେଇଥିବା ନେତାମାନେ କଂଗ୍ରେସର ଉପେକ୍ଷା, ପ୍ରତାରଣାର ଲମ୍ବା ତାଲିକା ଉପସ୍ଥାପନ କରି ବିଜେଡି ସହିତ କଂଗ୍ରେସ ନେତାଙ୍କ ଗୁପ୍ତ ସଂପର୍କ ନେଇ ଅଭିଯୋଗର ପାହାଡ଼ ଛିଡା କରାଇଥିଲେ। ଅନ୍ୟପଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବିଜେପି ନେତାମାନେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଗର୍ଜନ କରିଥିଲେ।

ଏହି ନେତାମାନଙ୍କୁ ବିଜେପିକୁ ସ୍ୱାଗତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଲୁଲୁ ମହାପାତ୍ରଙ୍କ ଲଢେଇ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଥିଲା। ଏଣୁ ତାଙ୍କ ରାଜନୀତିକୁ ଦଳୀୟ ଆଧାରରେ ସୀମିତ କରାଯାଇ ପାରିବ ନାହିଁ। ଏହି ଅବସରରେ ସେ ଖଣି ଦୁର୍ନୀତିରେ ୫୮ ହଜାର କୋଟିର ହିସାବ ମାଗିଥିଲେ। ଚିଟଫଣ୍ଡ କେଳେଙ୍କାରୀରେ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥ ଓ ସମ୍ବଳକୁ ଯେଉଁ ମାନେ ହଡପ କରିଛନ୍ତି ସେମାନଙ୍କ ବିରୋଧରେ ଗାଁ ଗାଁ ପର୍ଯ୍ୟନ୍ତ ସଂଘର୍ଷ ହେବ ବୋଲି ସୂଚନା ଦେଇ ସିଧା ସିଧା କହିଥିଲେ, ଯେତେ କୁଶ ପୁତ୍ତଳିକା ପୋଡିଲେ ବି ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ବ୍ରହ୍ମଗିରି ଯାଏ ଯେଉଁମାନେ ଏ ଚିଟ୍‌ଫଣ୍ଡ କେଳେଙ୍କାରୀରେ ଅଛନ୍ତି, ତାଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ।

ଗୋଟିଏ ପଟେ ଲୁଲୁ ପରିବାର ଓ ଲୁଲୁ ସେନା ସମେତ ବିଜେପିରେ ଯୋଗ ଦେଇଥିବା ନେତାମାନେ କଂଗ୍ରେସର ଉପେକ୍ଷା, ପ୍ରତାରଣାର ଲମ୍ବା ତାଲିକା ଉପସ୍ଥାପନ କରି ବିଜେଡି ସହିତ କଂଗ୍ରେସ ନେତାଙ୍କ ଗୁପ୍ତ ସଂପର୍କ ନେଇ ଅଭିଯୋଗର ପାହାଡ଼ ଛିଡା କରାଇଥିଲେ। ଅନ୍ୟପଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବିଜେପି ନେତାମାନେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଗର୍ଜନ କରିଥିଲେ।

ଜାତୀୟ ଦଳ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟର ବି କଠୋର ସମାଲୋଚନା କରିଥିଲେ ଶ୍ରୀ ପ୍ରଧାନ। ବର୍ଷକୁ ରେଳ ବଜେଟରେ ୫୧୦୦ କୋଟି ଟଙ୍କା ମିଳିବା, ମୋଦି ଶାସନରେ କୋଷ୍ଟାଲ ହାଇେଓ୍ଵ, ୪୮୦୦ କିମିର ଜାତୀୟ ରାଜପଥ ମଞ୍ଜୁର ହେବା ମୋଦିଙ୍କ ଓଡିଶା ପ୍ରତି ଗୁରୁତ୍ୱର ପ୍ରମାଣ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ୨୦୧୯ ମସିହାରେ ରାଧୁଆ ମିଛୁଆ କାହାଣୀର ଶେଷ ଅଧ୍ୟାୟ ଲେଖା ହେବ ସୂଚାଇ ନବୀନଙ୍କ ସହ ଓଡିଆରେ ବିତର୍କ ଲାଗି ଆହ୍ଵାନ ଦେଇଥିଲେ।

କଂଗ୍ରେସରେ ଜନ୍ମ ଓ କଂଗ୍ରେସରେ ମୃତ୍ୟୁ ବୋଲି ସ୍ୱପ୍ନ ଦେଖୁଥିଲେ ଲୁଲୁ ମହାପାତ୍ର। ମାତ୍ର କଂଗ୍ରେସ ଲାଗି ହିଁ ତାଙ୍କର ମୃତ୍ୟୁ ହେଲା ବୋଲି ଭାବବିହ୍ଵଳ ହୋଇ କହିଥିଲେ ଉପାସନା। ଲୁଲୁ ମହାପାତ୍ରଙ୍କ ଅବଦାନ ଓ କଂଗ୍ରେସ ଦଳର ଉପେକ୍ଷାର ଲମ୍ବା ତାଲିକା ରଖିବା ସହିତ ବିଜେପିକୁ ମଜବୁତ କରିବା ଲାଗି ସେ ଆହ୍ଵାନ ଦେଇଥିଲେ। ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଲୁଲୁଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ଲଲିତେନ୍ଦୁ କହିଥିଲେ। ଗର୍ଜନ ସମାବେଶ କରିବା ଲାଗି ଦେଇନଥିବା କଂଗ୍ରେସ ନେତାଙ୍କୁ ତାତ୍ସଲ୍ୟ କରିଥିଲେ ଲୁଲୁ ସେନାର ପ୍ରତିଷ୍ଠାତା ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା। ଓଡ଼ିଆ ଭାଷାପ୍ରତି ରାଜ୍ୟ ମୁଖ୍ୟଙ୍କ ଆନ୍ତରିକତା ନଥିବା ଉପରେ ପ୍ରଶ୍ନ ଉଠାଇ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ଦୁଇ ଦଶନ୍ଧି ଧରି କିଛି ବାହ୍ୟ ଶକ୍ତି କଳାପାହାଡ ସାଜି ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ ପାଇଁ ରାଜ୍ୟ ସ୍ୱାର୍ଥକୁ କିଭଳି ବଳି ଚଢାଇଛନ୍ତି, ତାହାର ଉଦାହରଣ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଉପସଭାନେତ୍ରୀ ପିଙ୍କି ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରବକ୍ତା ଗୋଲକ ମହାପାତ୍ର ସଂଯୋଜନା କରିଥିଲେ। ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ପୂର୍ବତନ ସଂପାଦକ ଦେବରାଜ ମହାନ୍ତି, ପୂର୍ବତନ କୋଷାଧ୍ୟକ୍ଷ ରାଜୀବ ମହାନ୍ତି, ଛାତ୍ର କଂଗ୍ରେସ ପୂର୍ବତନ ଉପସଭାପତି ଜଗଦୀଶ ପାତ୍ର, ଦିଲ୍ଲିପ କୁମାର ସାହୁ, ସାଧାରଣ ସଂପାଦକ ସୌମ୍ୟ ଶୁଭଦର୍ଶନ, ଯୁବ କଂଗ୍ରେସ ସାଧାରଣ ସଂପାଦକ ସଚିନନ୍ଦନ ନାୟକ, କଟକ ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ମିହିର ରଂଜନ ପରିଡା, ବିନୋଦ ବେହେରା, ବ୍ରହ୍ମଗିରି ବ୍ଲକ କଂଗ୍ରେସ ସଭାପତି ବିଶ୍ୱମ୍ବର ସାମନ୍ତରାୟ, କୃଷ୍ଣପ୍ରସାଦ ବ୍ଲକ କଂଗ୍ରେସ ସଭାପତି ସତ୍ୟପ୍ରିୟ ଜେନା, ପୁରୀ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ନିଆଳି ଜହରପୁର ସରପଞ୍ଚ ସର୍ବେଶ୍ୱର ରାଉତ, ନିଆଳି ଅଞ୍ଚଳର କାଳନ୍ଦୀ ଚରଣ ସ୍ୱାଇଁ, ସିଂ ସରୋଜ କୁମାର ଦାଶ, ବିଜୟ ରାମ ପଣ୍ଡା, କଣାସର ପ୍ରଦୀପ ମହାରଥୀ, ଖୋର୍ଧା ଯୁବ କଂଗ୍ରେସ ସଭାପତି ଲୋକନାଥ ପ୍ରଧାନ, ଡେଲାଙ୍ଗ ଅଞ୍ଚଳର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ହରିଚନ୍ଦନ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ ଆଜି ବିଜେପିରେ ମିଶିଥିଲେ।

ସମ୍ବନ୍ଧିତ ଖବର