ମହାନଦୀ ବିବାଦ : ୨୨ରେ ହେବ ବିଜେଡିର ମହାସମ୍ମିଳନୀ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ମହାସମ୍ମିଳନୀକୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମହାସମ୍ମିଳନୀର ରୂପରେଖ ଓ ଆଗାମୀ କାର୍ଯପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।

ବିଜେଡି ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦଳୀୟ ନେତୃବୃନ୍ଦ ଯୋଗ ଦେଇ ମହାନଦୀ ଜଳ ସଙ୍କଟ, ଏହାର ଆଇନଗତ, ବୈଷୟିକ ଓ ରାଜନୈତିକ ଦିଗ ସମ୍ପର୍କରେ ବିସ୍ତତ ଆଲୋଚନା କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଅନେକ ବ୍ୟାରେଜ୍‌ ନିର୍ମାଣ କରିଥିଲା ବେଳେ ଶେଷ ବ୍ୟାରେଜ୍‌ ଥିଲା କଲ୍‌ମା। ଏହି ବ୍ୟାରେଜ୍‌ର ମୋଟ୍‌ ୬୬ଟି ଗେଟ୍‌ରୁ ପ୍ରତିଦିନ ଗୋଟିଏ ଗେଟ୍‌ ମଧ୍ୟ ଖୋଲାଯାଉ ନାହିଁ। ମଝିରେ ମଝିରେ ଖୁବ୍‌ କମ୍‌ ସମୟ ପାଇଁ ଖୋଲାଯାଉଛି। ସେଥି ପାଇଁ କଲ୍‌ମା ବ୍ୟାରେଜ୍‌ ଉପରମୁଣ୍ଡ ଛତିଶଗଡ଼ରେ ଜଳ ଭରପୂର ଥିଲା ବେଳେ ତଳ ମୁଣ୍ଡରେ ମହାନଦୀ ଶୁଷ୍କ ହୋଇଯାଇଛି। ଓଡ଼ିଶାରେ ନଦୀ ପାର୍ଶ୍ୱବର୍ତ୍ତୀ ଲୋକଙ୍କ ଜୀବନଜୀବିକା ସଙ୍କଟରେ। ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଟ୍ରିବ୍ୟୁନାଲ୍‌ କାର୍ଯ୍ୟକୁ ଜାଣିଶୁଣି ବିଳମ୍ବ କରାଯାଉଛି।

ବୈଠକରେ ନିଷ୍ପତ୍ତି ହୋଇଥିଲା ଦଳ ଦୁଇଟି କ୍ଷେତ୍ରରେ ଲଢ଼େଇ ଜାରି ରଖିବ। ଗୋଟିଏ ହେଲା ନ୍ୟାୟିକ ଲଢ଼େଇ ଓ ଅନ୍ୟଟି ହେଲା ଜନସାଧାରଣଙ୍କ ଲଢ଼େଇ। ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାର ଲଢ଼େଇକୁ ବିଜେଡି ନିର୍ଣ୍ଣାୟକ ସ୍ତରକୁ ନେବ। ଆଜିର ବୈଠକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶଶିଭୂଷଣ ବେହେରା, ଉଷା ଦେବୀ, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ କୁମାର ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ପଦ୍ମନାଭ ବେହେରା, ବିଜେଡି ଆଇନଜୀବୀ ସେଲ୍‌ର ଆବାହକ ମିଲନ୍‌ କାନୁନ୍‌ଗୋ, ମୁଖପାତ୍ର ଆଇନଜୀବୀ ଅସିମ ଅମିତାଭ ଦାସ ଓ ଜଳସମ୍ପଦ ବିିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀଧର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର