ଭୁବନେଶ୍ୱର : ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆଜି ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଆରମ୍ଭ କରି ସିଧାସଳଖ ବିଜେପି ଟାର୍ଗେଟ୍ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳକୁ ସୁରକ୍ଷା ଦେବାକୁ ଯାଇ ଟ୍ଵିଟ୍ କରି ରାଜ୍ୟ ସରକାର ଓ ବିଜେଡି ଉପରେ ଆରୋପ ଲଗାଇଛନ୍ତି। ଅପର ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଆନ୍ଦୋଳନକୁ ହାସ୍ୟାସ୍ପଦ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ସମାଲୋଚନା କରିଛନ୍ତି।
ଟ୍ଵିଟ୍ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣଙ୍କ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା କରୁଛନ୍ତି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନିଜେ ହିଁ ଦେଇପାରିବେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀର ପାଣି ପିଢ଼ି ପରେ ପିଢ଼ି ଅବାରିତ ଭାବେ ଓଡ଼ିଶାରେ ପ୍ରବାହିତ ହେଉ, ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ। ଟ୍ରିବ୍ୟୁନାଲ୍ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସ କଥାବାର୍ତ୍ତାର ରାସ୍ତା ଖୋଲା ନ ରଖିଲେ ଓଡ଼ିଶା ଚାଷୀଙ୍କ ଲାଭକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତର ସହ ବିଚାର କରିବାକୁ ପଡ଼ିବ। ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଆଜି ଦିନରେ ନ ଥା’ନ୍ତା। ବିଳମ୍ବରେ ହେଲେ ବି ରାଜ୍ୟ ସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କ୍ରିୟାନ୍ଵିତ କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ସେହିଭଳି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ବିଜେଡିର ଏହି କାର୍ଯ୍ୟକ୍ରମ ଏକ ହାସ୍ୟାସ୍ପଦ କଥା। ମହାନଦୀର ଯେଉଁ ଦୁରାବସ୍ଥା ହୋଇଛି, ସେଥି ପାଇଁ ଏହି ବିଜେଡି ସରକାର ଦାୟୀ। ବିଜେପି ସରକାର ବି ସମାନ ପରିମାଣରେ ଦାୟୀ। ୨୦୦୦ ମସିହାରୁ ଛତିଶଗଡ଼ କାର୍ଯ୍ୟ ଆରମ୍ଭ କଲା। ୨୦୧୬ ପର୍ଯ୍ୟନ୍ତ ରାଜ୍ୟ ସରକାର ଶୋଇ ରହିଲେ। ଦିନେ ବି ପାଟି ଫିଟାଇଲେନି। ଏବେ ନିଦ ଭାଙ୍ଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଶା କରିଥିଲୁ କେନ୍ଦ୍ରରେ ନୂଆ ସରକାର ହେଲା ପରେ ଓଡ଼ିଶାକୁ ନ୍ୟାୟ ଦେବେ। କେନ୍ଦ୍ର ସରକାର ନ୍ୟାୟ ଦେବା ଦୂରର କଥା। ଅପରପକ୍ଷରେ ଛତିଶଗଡ଼ର ବିଜେପି ସରକାରକୁ ସହଯୋଗ କଲେ। ସେଥିପାଇଁ ଓଡ଼ିଶା ଆଜି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/SBPHO16-CM-JSG.jpg)