‘ନୀଚ୍‌’ ରାଜନୀତି

ଦଳରୁ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବିବାଦୀୟ ଏବଂ ଅଭଦ୍ରୋଚିତ ବୟାନ ତମ୍ବିତୋଫାନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀଙ୍କୁ ଆୟର ‘ନୀଚ’ ବୋଲି କହି ଏକ ବୟାନ ଜାରି କରିବା ପରେ ଏହାକୁ ନେଇ ଗୁଜରାଟ ରାଜନୀତି ସରଗରମ ହୋଇଉଠିଛି। ଆୟରଙ୍କ ବୟାନକୁ ନେଇ କଂଗ୍ରେସ ଦଳ ମଧ୍ୟ ଅସହମତି ପ୍ରକାଶ କରିଛି ଏବଂ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଆୟରଙ୍କ ବୟାନକୁ ନେଇ ବିବାଦ ବଢ଼ିବା ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ ଏହା ଦଳର ନୀତି ବିରୁଦ୍ଧ ଏବଂ ଏଥିପାଇଁ ଆୟରଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ। ଏହାପରେ ଆୟର ତାଙ୍କ ବୟାନ ନେଇ ସଫେଇରେ କହିଛନ୍ତି ଯେ ମୁଁ ମୋଦିଙ୍କୁ ‘ନୀଚ’ ବୋଲି କହିଥିଲି, କିନ୍ତୁ ତାହା ଜାତି ଆଧାରିତ ନଥିଲା । ଏହା ନିମ୍ନସ୍ତରର ଆଚରଣକୁ ସୂଚାଉଥିଲା ବୋଲି ସେ କହିଛନ୍ତି। ହିନ୍ଦୀ ମୋର ମାତୃଭାଷା ହୋଇନଥିବାରୁ ଶବ୍ଦର ଏଭଳି ଭୁଲ ବ୍ୟବହାର ପାଇଁ କ୍ଷମା ମାଗୁଛି ବୋଲି ଆୟର କହିଛନ୍ତି। ଦିଲ୍ଲୀରେ ବିଆର୍‌ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରର ଉଦ୍‌୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଗଠନରେ ଆମ୍ବେଦକରଙ୍କ ଯେଉଁ ବଳିଷ୍ଠ ଅବଦାନ ରହିଥିଲା ତାହାକୁ କଂଗ୍ରେସ ଭୁଲିଯିବାକୁ ଚେଷ୍ଟା କରିଛି । ଏବେ କଂଗ୍ରେସ ବାବା ସାହେବଙ୍କ ଅପେକ୍ଷା ବାବା ଭୋଳାନାଥଙ୍କ ପ୍ରତି ଅଧିକ ଧ୍ୟାନ ଦେଇଛି। ଏହାର ଜବାବ୍‌ରେ ମଣିଶଙ୍କର ଆୟର ମୋଦିଙ୍କୁ ‘ନୀଚ୍‌’ ବୋଲି କହିଥିଲେ। ମୋଦି ହୀନ ରାଜନୀତି କରୁଛନ୍ତି ଏବଂ ଜଣେ ନୀଚ ବ୍ୟକ୍ତି। ତାଙ୍କ ପାଖରେ କିଛି ସଭ୍ୟତା ନାହିଁ ବୋଲି ଆୟର କହିଥିଲେ। ଏହି ବୟାନକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆୟରଙ୍କ ସମାଲୋଚନାର କଡ଼ା ଜବାବ ଦେଇ ମୋଦି କହିଛନ୍ତି ଯେ ଆୟରଙ୍କର ଏଭଳି ଭାଷା ମୋଗଲ ମାନସିକତାର ପରିଚାୟକ। କଂଗ୍ରେସ ନେତାମାନେ ଯେଉଁ ଭାଷାରେ ବୟାନ ଦେଉଛନ୍ତି ସେହି ଭାଷା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ଜଣେ ପୂର୍ବ କ୍ୟାବିନେଟ ମନ୍ତ୍ରୀ ଯଦି ଏଭଳି ଭାଷା ବ୍ୟବହାର କରିବେ, ତେବେ ଏହାଠାରୁ ବଳି ଲଜ୍ଜାର ବିଷୟ ଆଉ କିଛିନାହିଁ ବୋଲି ମୋଦି ସୁରଟ୍‌ରେ ଏକ ଜନ ସମାବେଶରେ ଉଦ୍‌୍‌ବୋଧନ ଦେଇ କହିଛନ୍ତି। ଗୁଜରାଟ ବାସିନ୍ଦା କଂଗ୍ରେସକୁ ଆୟରଙ୍କ ଗାଳିର ଉଚିତ୍‌ ଜବାବ ଦେବେ। ଡିସେମ୍ବର ୯ ଏବଂ ୧୪ ତାରିଖର ହେବାକୁ ଥିବା ନିର୍ବାଚନରେ ହିଁ କଂଗ୍ରେସକୁ ଏହାର ଉତ୍ତର ମିଳିବ ବୋଲି ମୋଦି କହିଛନ୍ତି। ଅନ୍ୟପକ୍ଷରେ ଆୟର ତାଙ୍କ ଭୁଲ୍‌ ସ୍ୱୀକାର କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ଆହୁରି ଲମ୍ବିବାରେ ଲାଗିଛି। ଆୟରଙ୍କ ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି । କଂଗ୍ରେସର ସାମନ୍ତବାଦୀ ଚିନ୍ତାଧାରାର ପ୍ରତିଫଳନ ଆୟରଙ୍କ କ୍ଷେତ୍ରରେ ବାରମ୍ବାର ଘଟୁଛି ଏବଂ ଦେଶ ଏଭଳି ଅହଙ୍କାରୀ ମାନସିକତାକୁ କେବେ ବି କ୍ଷମା ଦେବନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର