କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ‘ନୋଟା’ ଭୋଟ୍‌ !

ଭୁବନେଶ୍ୱର (ସୁବ୍ରତ ଦାସ)  : ଆଉ ଦୁଇ ଦିନ ପରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ତେବେ ଉଲ୍ଲେଖଯୋଗ୍ୟ ବିଷୟ ହେଲା ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ତୁଳନାତ୍ମକ ଭାବେ ‘ନନ୍‌ ଅଫ୍‌ ଦି ଆଭୋବ୍‌ (ନୋଟା)’ ଅର୍ଥାତ ଏମାନଙ୍କ ମଧ୍ୟରୁ କେହି ନୁହେଁ ବୋତାମ ଦବାଇ ନିଜର ମତାଧିକାର ସାବ୍ୟସ୍ତ କରିଥିବା ଭୋଟରଙ୍କ ସଂଖ୍ୟା ଅଧିକ। ନିଜ ନିର୍ବାଚନ ମଣ୍ଡଳୀରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା କୌଣସି ବି ପ୍ରାର୍ଥୀଙ୍କୁ ପସନ୍ଦ କରୁ ନଥିବା ଭୋଟରଙ୍କ ସଂଖ୍ୟା ଏଠାରେ ଅଧିକ ଥିବା ପରିଲକ୍ଷିତ ହୋଇଛି। ବିଶେଷ କରି ୨୦୧୪ରେ ଆଦିବାସୀ ଭୋଟରଙ୍କ ମଧ୍ୟରେ ପ୍ରାର୍ଥୀମାନଙ୍କ ପ୍ରତି ଅନଗ୍ରହ ଅଧିକ ମାତ୍ରାରେ ଦେଖାଦେଇଥିଲା।

ଗତ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ସର୍ବାଧିକ ସଂଖ୍ୟକ ୪୪,୪୦୮ ଭୋଟର୍‌ ଏହି ନୋଟା ବୋତାମ ଦବାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ତିନି ଜଣ ଭୋଟର ପୋଷ୍ଟାଲ୍‌ ବ୍ୟାଲଟ୍‌ ଜରିଆରେ ‘ନୋଟା’ ଭୋଟ ଦେଇଛନ୍ତି। ସାଧାରଣତଃ,ଶିକ୍ଷିତ ସରକାରୀ ଅଫିସରମାନେ ,ଯେଉଁମାନେ ଭୋଟ ଗ୍ରହଣ ଡ଼୍ୟୁଟିରେ ନିୟୋଜିତ ଥାଆନ୍ତି, ସେମାନଙ୍କୁ ପୋଷ୍ଟାଲ୍‌ ବ୍ୟାଲଟ୍‌ ଜରିଆରେ ଭୋଟ ଦେବାକୁ ସୁଯୋଗ ଦିଅଯାଇଥାଏ।

ନବରଙ୍ଗପୁର ପଛକୁ ଗତଥର ସର୍ବାଧିକ ‘ନୋଟା’ ଭୋଟ ପଡ଼ିଛି କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ (୩୩ ହଜାର ୨୨୨ଖଣ୍ଡ ଭୋଟ)। ସେଠାରେ ୧୦ ଖଣ୍ଡ‘ନୋଟା’ ଭୋଟ ମିଳିଛି ପୋଷ୍ଟାଲ୍‌ ବ୍ୟାଲଟ୍‌ ଜରିଆରେ ।

The Financial Express

ଆଉ ଏକ ଆଦିବାସୀ ଅଧ୍ୟୁଷିତ ଲୋକସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ମଧ୍ୟ ଏ କ୍ଷେତ୍ରରେ ବିଶେଷ ପଛରେ ପଡ଼ିନାହିଁ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୦ ହଜାର ୮୮୦ ଜଣ ଭୋଟର୍‌ କୌଣସି ପ୍ରାର୍ଥୀଙ୍କୁ ନ ବାଛି ‘ନୋଟା’ ବୋତାମଦବାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ‘ପୋଷ୍ଟାଲ ବ୍ୟାଲଟ୍‌’ ଭୋଟର୍‌।

ନୋଟା ବ୍ୟବହାରରେ ଆଗୁଆ ଥିବା ଅନ୍ୟ ଆଦିବାସୀ ଅଧ୍ୟୁଷିତ ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା କେଉଁଝର (୨୬,୦୬୫), ମୟୁରଭଂଜ(୨୩,୫୧୭),ବଲାଙ୍ଗିର (୨୧,୦୪୩),ସୁନ୍ଦରଗଡ଼(୧୫,୮୩୫),ଆସ୍କା(୧୫,୩୮୨),ବରଗଡ଼(୧୪,୫୦୦),କନ୍ଧମାଳ (୧୪,୧୫୯),ସମ୍ବଲପୁର(୧୩,୩୧୪), ଢ଼େଙ୍କାନାଳ(୧୩,୨୦୫)ଏବଂ ବ୍ରହ୍ମପୁର(୧୨,୭୦୬)।

ଅପରପକ୍ଷରେ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ‘ନୋଟା’ ଭୋଟ୍‌ ମିଳିଛି-ବାଲେଶ୍ୱର(୭୭୧୦),ଭଦ୍ରକ(୬୭୫୦), ଭୁବନେଶ୍ୱର(୮୧୪୦),କଟକ(୮୮୮୯),ଜଗତସିଂହପୁର(୭୬୨୪),ଯାଜପୁର(୮୬୫୫),କେନ୍ଦ୍ରାପଡ଼ା(୭୬୧୦) ଏବଂ ପୁରୀ(୯୧୫୦)।

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଧିକ ‘ନୋଟା ଭୋଟ’ ମିଳିଛି। ତେବେ, ଭୋଟରମାନେ ସେମାନଙ୍କର ମନ ପସନ୍ଦର ପ୍ରାର୍ଥୀ ପାଇନାହାନ୍ତି ଅଥବା ଭୁଲ୍‌ରେ ‘ନୋଟା’ ବୋତାମ ଦବାଇଛନ୍ତି, ତାହା ଅନୁଧ୍ୟାନ ସାପେକ୍ଷ ବୋଲି ନିର୍ବାଚନ ସହିତ ସଂପୃକ୍ତ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର