ମୟୁରଭଞ୍ଜରେ ବିଜେଡି, ବିଜେପି ଓ ଜେଏମ୍ଏମ୍ ମଧ୍ୟରେ ଲଢ଼େଇ: ପ୍ରଚାର କଲେ ନବୀନ, ଶିବୁ ସୋରେନ୍‌ ଓ ରଘୁବର ଦାସ

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ୨ ଦିନ ବାକି ରହିଲା। ତେଣୁ ଏହି ପର୍ଯ୍ୟାୟରେ ଆସୁଥିବା ମୟୁରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସାତୋଟି ବିଧାନସଭା ଆସନରେ ପ୍ରଚାର ଖୁବ୍‌ ଜୋର୍‌ଦାର୍‌ ହୋଇଛି।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ୬ଟି (ଉଦଳା, ମୋରଡ଼ା,ବାଙ୍ଗିରୀପୋଷି,ସାରସକଣା,ରାଇରଙ୍ଗପୁର ଏବଂ ଯଶୀପୁର ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଅନ୍ୟ ପକ୍ଷରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତାମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଯାଇଛନ୍ତି। ଏଥର ଏହି ଲୋକସଭା ଆସନରେ ବିଜୁ ଜନତା ଦଳ,ଭାରତୀୟ ଜନତା ପାର୍ଟି ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେ.ଏମ୍‌.ଏମ) ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜୁ ଜନତା ଦଳ ପକ୍ଷରୁ ଡାକ୍ତରରୁ ରାଜନେତା ପାଲଟିଥିବା ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ଇଂଜିନିୟର ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହାର ମୁଖିଆ ଶିବୁ ସୋରେନ୍‌ଙ୍କ କନ୍ୟା ଅଞ୍ଜନୀ ସୋରେନ୍‌ ମାରାଣ୍ଡି ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ଏଥର କଂଗ୍ରେସ ଏହି ଆସନଟିକୁ ଜେଏମ୍‌ଏମ୍‌.କୁ ଛାଡ଼ି ଦେଇଛି।

୨୦୧୪ରେ ବିଜୁ ଜନତା ଦଳ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନେପୋଲ୍‌ ରଘୁ ମୁର୍ମୁଙ୍କୁ ୧.୨୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ। ତେବେ ଏଥର ଚିଟ୍‌ଫଣ୍ଡ ମାମଲାରେ ଜଡ଼ିତ ଶ୍ରୀ ହାଁସଦାଙ୍କୁ ବିଜୁ ଜନତା ଦଳ ବଦଳାଇ ତାଙ୍କ ସ୍ଥାନରେ ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭାରତୀୟ ଜନତା ପାର୍ଟି ଗତଥରର ପ୍ରାର୍ଥୀ ଶ୍ରୀ ମୁର୍ମୁଙ୍କୁ ବଦଳାଇ ବିଶ୍ୱେଶ୍ୱର ଟୁଡୁଙ୍କୁ ଲଢ଼ାଇଛି।

କଂଗ୍ରେସ ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ଆସନ ବୁଝାମଣା କରି ମୟୁରଭଂଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତିନୋଟି ବିଧାନସଭା ଆସନ(ସାରସକଣା, ରାଇରଙ୍ଗପୁର ଏବଂ ଉଦାଳା)ଛାଡ଼ି ଦେଇଛି।

ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାରେ ରୋଡ଼ ସୋ’ କରିଥିବା ବେଳେ ତା’ର ପରଦିନ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୋଫାନୀ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଗତ ଏପ୍ରିଲ୍‌ ୨ ତାରିଖ ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଗତ ଜାନୁୟାରୀ ମାସରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ।
ଇତି ମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଶିବୁ ସୋରେନ୍‌ ମୟୁରଭଂଜ ଆସି ବିଭିନ୍ନ ସ୍ଥାନରେ ନିଜ ଝିଅ ଅଞ୍ଜନୀ ଓ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଯାଇଥିବା ଜଣାଯାଇଛି।

ମୟୁରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଏଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଯଥେଷ୍ଟ ପ୍ରଭାବ ରହିଛି। ୨୦୦୪ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁଦାମ ମାରାଣ୍ଡି ଏଠାରୁ ଜିତିଥିଲେ। ତେବେ ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଏକ ପ୍ରଭାବଶାଳୀ ଗୋଷ୍ଠୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗ ଦେବା ପରେ ଏହାର ଶକ୍ତି ବୃଦ୍ଧି ଘଟିଛି। ବିଜୁ ଜନତା ଦଳ ୨୦୦୯ ଓ ୨୦୧୪ ରେ ମୟୁରଭଂଜ ଲୋକସଭା ଆସନ ଅକ୍ତିଆର୍‌ କରିଛି ।

ବିଜୁ ଜନତା ଦଳ ଏଥର ନିଜର ବିଜୟ ସୁନିଶ୍ଚିତ କରିବା ଲାଗି କେବଳ ସୁଦାମ ମାରାଣ୍ଡି ଛଡ଼ା ଅନ୍ୟ ଛଅଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି। ମର୍ଯ୍ୟାଦାଜନକ ବାରିପଦା ଆସନରେ ବିଧାନସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ସ୍ଥାନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ଏବଂ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରାଇଛନ୍ତି। ଶ୍ରୀମତୀ ହେମ୍ବ୍ରମ୍‌ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ମନ୍ତ୍ରୀ ଚୈତନ୍ୟ ଚରଣ ମାଝୀଙ୍କ କନ୍ୟା। ସେହିପରି ଯଶୀପୁର ବିଧାୟକ ମଙ୍ଗଳ ସିଂହ ମୁଦିଙ୍କ ବଦଳରେ ଗୋଲକ ନାୟକ, ସାରସକଣାରେ ବିଧାୟକ ଭାଦବ ହାଁସଦାଙ୍କ ସ୍ଥାନରେ ଅମର ସିଂହ ଟୁଡୁ ଏବଂ ରାଇରଙ୍ଗପୁରରେ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଙ୍କୁ ବଦଳାଇ ବାସନ୍ତୀ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଛି। ଉଦଳାର ବିଧାୟକ ଗୋଲକ ବିହାରୀ ନାୟକଙ୍କ ସ୍ଥାନରେ ଶ୍ରୀ ନାଥ ସୋରେନଙ୍କୁ ପ୍ରାର୍ଥୀ ରୂପେ ଛିଡ଼ା କରାଯାଇଛି। ଭାରତୀୟ ଜନତା ପାର୍ଟି ନେତା ରାଜ କିଶୋର ଦାସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେବା ପରେ ମୋରଡ଼ାରୁ ପ୍ରାର୍ଥୀ ହୋଇଛନ୍ତି।

www.jagran.com

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଯଶୀପୁରରେ ରଘୁନାଥ ହେମ୍ବ୍ରେମଙ୍କ ବଦଳରେ ଗଣେଶ ରାମ ଖୁଣ୍ଟିିଆ, ସାରସକଣାରେ ନରେନ୍ଦ୍ର ସିଂହଙ୍କ ସ୍ଥାନରେ ବୁଦ୍ଧନ ମୁର୍ମୁ, ରାଇରଙ୍ଗପୁରରେ ଗତଥରର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିବାରୁ ତାଙ୍କ ପରିବେର୍ତ୍ତ ନବ ଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି। ବାଙ୍ଗିରୀପୋଷିରେ ମଧ୍ୟ ଭାଜପା ପ୍ରାର୍ଥୀ ବଦଳାଇ ପୁରୁଷୋତ୍ତମ ନାୟକଙ୍କ ସ୍ଥାନରେ ସୁକୁଦା ମୁର୍ମୁଙ୍କୁ ଠିଆ କରାଯାଇଛି। କେବଳ ଉଦଳାରେ ପୂର୍ବତନ ବିଧାୟକ ଭାସ୍କର ମଢେଇ ଏଥର ପୁଣି ପ୍ରାର୍ଥୀ ହୋଇଛନ୍ତି। ବାରିପଦାରେର ନିଶାମଣି ବାସ୍କେଙ୍କ ବଦଳରେ ପ୍ରକାଶ ସୋରେନ୍‌ ଏବଂ ମୋରଡାରେ ରାଜ କିଶୋର ଦାସଙ୍କ ସ୍ଥାନରେ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

କଂଗ୍ରେସ ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍‌ଙ୍କୁ ସାରସକଣା ଆସନ, ଉପସଭାପତି ରାମଚନ୍ଦ୍ର ମୁର୍ମୁଙ୍କୁ ରାଇରଙ୍ଗପୁର ଏବଂ ଦଳର ଅନ୍ୟତମ ସଭ୍ୟ ଫାଗୁ ହାଁସଦାଙ୍କୁ ବାଙ୍ଗିରୀପୋଷି ଆସନ ଛାଡ଼ିଦେଇଛି। ତେବେ ମୋରଡ଼ା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗ କେଶରୀ ଜେନାଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଳଢେଇ ହେଉଛି। କିନ୍ତୁ ଯଶୀପୁର, ଉଦଳା ଏବଂ ବାରିପଦାରେ କଂଗ୍ରେସର ପ୍ରାର୍ଥୀ ମଳିତ ପ୍ରାର୍ଥୀ ଭାବେ ଲଢ଼ିଛନ୍ତି।

ସମ୍ବନ୍ଧିତ ଖବର