ଶାହଙ୍କୁ ମୁଫତିଙ୍କ ଜବାବ : ନିଜ ନୀତିକୁ ନିଜେ ବିଜେପି ଉଲ୍ଲଂଘନ କରିଛି

ଶ୍ରୀନଗର : ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଭେଦଭାବ ପ୍ରସଙ୍ଗକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଭିଯୋଗ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି କଡ଼ା ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ନିଜେ ଲାଗୁ କରିଥିବା ନିୟମକୁ ବିଜେପି ନିଜେ ଉଲ୍ଲଂଘନ କରି ଏହାକୁ ଭୁଲ ବୋଲି କହୁଛି। ଯଦି ସରକାର ଭେଦଭାବ କରୁଥିଲେ ତେବେ ବିଜେପି ଏତେଦିନ ଧରି ଚୁପ୍‌ ରହିଥିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତକାଲି ଏକ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଥିଲେ ଯେ, ଜମ୍ମୁ ଓ ଲଦାଖ୍‌ ଅଞ୍ଚଳର ଲୋକଙ୍କ ସହ ଭେଦଭାବ ରଖି କେବଳ କଶ୍ମୀର ଅଞ୍ଚଳକୁ ପିଡ଼ିପି ସରକାର ଗୁରୁତ୍ୱ ଦେଉଥିଲା । ଜମ୍ମୁ ଅଞ୍ଚଳରେ ହିନ୍ଦୁ ଥିବାରୁ ସେମାନଙ୍କ ବିକାଶ ପାଇଁ ଆସିଥିବା ପାଣ୍ଠିକୁ ମଧ୍ୟ ଖର୍ଚ୍ଚ କରାଯାଇନଥିବା ଶାହ ଅଭିଯୋଗ କରିଥିଲେ। ଏହାର ଜବାବରେ ମୁଫ୍‌୍‌ତି କହିଛନ୍ତି ଯେ, ବିଜେପି ଆଣୁଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଯେହେତୁ କଶ୍ମୀରର ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତିକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତେଣୁ ଏହି ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସାଧାରଣ କଥା। କିନ୍ତୁ ଲଦାଖ ଓ ଜମ୍ମୁବାସୀଙ୍କ ବିକାଶରେ କୌଣସି ଭେଦଭାବ କରାଯାଇନାହିଁ। ଏହା ସହିତ ବିଗତ ୩ ବର୍ଷର ପିଡିପି ସରକାରରେ ବିଜେପି ସହଯୋଗୀ ଦଳ ଭାବେ ଥିଲା। ରାଜ୍ୟ ସରକାରଙ୍କ ସମସ୍ତ ନିଷ୍ପତ୍ତିରେ ବିଜେପି ହସ୍ତକ୍ଷେପ ମଧ୍ୟ କରୁଥିଲା। ତେବେ କାହିଁକି ବିଜେପି ଏହି ପ୍ରଶ୍ନ ପୂର୍ବରୁ ଉଠାଇ ପାରିନଥିଲା ବୋଲି ମୁଫତି ପ୍ରଶ୍ନ କରିଛନ୍ତି। ନିଜ କ୍ୟାବିନେଟରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବିଜେପି ନେତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରି ମୁଫତି କହିଛନ୍ତି ଯେ, ବିଜେପି ନିଜ ପ୍ରତିନିଧିଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରିବା ଆବଶ୍ୟକ। ଯଦି ପ୍ରକୃତରେ ରାଜ୍ୟ ସରକାର ଏଭଳି କୌଣସି ଭେଦଭାବ ରଖିଥିଲେ ତେବେ, ବିଜେପି ନେତା ଓ ମନ୍ତ୍ରୀ କାହିଁକି ଏନେଇ ଚର୍ଚ୍ଚା କରିନଥିଲେ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି। ନିକଟରେ ବିଜେପି ନେତା ଚୌଧୁରୀ ଲାଲ ସିଂହ କଶ୍ମୀରରେ ଗଣମାଧ୍ୟମକୁ ଚେତାବନୀ ଦେଇଥିବା ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ବିରୋଧରେ ବିଜେପି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଫତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର