ଗାନ୍ଧି ପରିବାର ଦୂର୍ଗରେ ମୋଦିଙ୍କ ରଣ ହୁଙ୍କାର- କଂଗ୍ରେସ ଜାଣିଶୁଣି ଦେଶର ସେନାକୁ ଦୁର୍ବଳ ରଖିବାକୁ ଚାହୁଁଛି

ରାୟବରେଲୀ : ରାଫେଲ ପ୍ରସଙ୍ଗକୁ ନେଇ ବିଜେପି ଅଧିକ ଆକ୍ରମଣାତ୍ମକ ହୋଇପଡିଛି । ବିଶେଷକରି ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପି କଂଗ୍ରେସ ଉପରେ ଚାପ ସୃଷ୍ଟି କରିବାକୁ ଆରମ୍ଭ କରିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣର ନେତୃତ୍ୱ ନେଇ ଆଜି କହିଛନ୍ତି ଯେ ରାଫେଲ ବିମାନ ପ୍ରସଙ୍ଗରେ କଂଗ୍ରେସ ମିଛ ପରେ ମିଛ କହିଚାଲିଛି । କାରଣ ଏହି ବିମାନ କିଣା ଚୁକ୍ତିରେ କୌଣସି କ୍ୱାଟ୍ରୋଚି ବା ମିସେଲ ମାମୁଁ ନାହାନ୍ତି । ଗାନ୍ଧି ପରିବାରର ଗଡ଼ ରାଏବରେଲିରେ ଅନୁଷ୍ଠିତ ଏକ ସଭାରେ ସେ କହିଛନ୍ତି ଯେ କଂଗ୍ରେସ ଭାରତ ବିରୋଧୀ ଶକ୍ତିଙ୍କ ସହ ହାତମିଳାଇ ଭାରତୀୟ ପ୍ରତିରକ୍ଷା ବାହିନୀକୁ ଦୁର୍ବଳ କରିବାକୁ ଉଦ୍ୟମ କରିଆସିଛି । ସେ କହିଛନ୍ତି ଯେ ଦେଶରେ ଦୁଇ ପ୍ରକାରର ଶକ୍ତି ରହିଛନ୍ତି ।

ଗୋଟିଏ ପ୍ରକାରର ଶକ୍ତି ଦେଶର ସେନାକୁ ମଝବୁତ କରୁଥିବାବେଳେ ଆଉ ଗୋଟିଏ ପକ୍ଷ ଦେଶ ବିରୋଧୀଙ୍କ ସହ ହାତ ମିଳାଇ ସେନାକୁ ଦୁର୍ବଳ କରିବାକୁ ଉଦ୍ୟମ କରିଆସିଛି । ଶ୍ରୀରାମଚରିତମାନସର ଏକ ଚୌପାଇକୁ ଉଦ୍ଧାର କରି ସେ କହିଛନ୍ତି ଯେ କିଛି ଲୋକଙ୍କ ସାରା ଜୀବନ ମିଛକୁ ହିଁ ଗ୍ରହଣ କରନ୍ତି ଓ ମିଛ ହିଁ ପ୍ରଚାର କରନ୍ତି । ଏପରି ଲୋକଙ୍କ ପାଇଁ ଦେଶର ସରକାର, ବାୟୁସେନା, ଫ୍ରାନ୍ସ ସରକାର ଆଦି ସମସ୍ତେ ମିଛୁଆ । ଏବେ ସେମାନଙ୍କୁ ସୁପ୍ରିମକୋର୍ଟ ବି ମିଛୁଆ ଲାଗୁଛନ୍ତି । ନିଜର ପ୍ରାୟୟ ୫୦ ମିନିଟର ଭାଷଣରେ ମୋଦି ରାଫେଲ ପ୍ରସଙ୍ଗରେ ପ୍ରାୟ ୩୦ ମିନିଟ କହିଥିଲେ ।

ସମ୍ବନ୍ଧିତ ଖବର