ବିଜେଡିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର : ଗୋଟିଏ ପଟେ ଦଳକୁ ଅଧିକ ସଂଗଠିତ କରିବା ଲାଗି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଜେପି ନେତାମାନେ ରଣନୀତି ନିର୍ଧାରଣ କରୁଥିବା ବେଳେ ଅନ୍ୟପଟେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ଶକ୍ତି ବୃଦ୍ଧି କରିଛନ୍ତି। ବିଜେ଼ଡି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ ଜରିଆରେ ନେତା ଓ ଶହ ଶହ କର୍ମୀଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଦଳରେ ଯୋଗ ଦେଇଥିବା ନେତାଙ୍କୁ ସ୍ୱାଗତ କରିଥିଲେ। କହିଥିଲେ, ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମ ଦ୍ୱାରା ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ।

ଉଲ୍ଲେଖଯୋଗ୍ୟ, ଆମ ଓଡ଼ିଶା ପାର୍ଟି ସାଧାରଣ ସଂପାଦକ ମହମ୍ମଦ ସକିଲ, ନିଖିଳ ଉତ୍କଳ ଭୂମିହୀନ ବସ୍ତିବାସିନ୍ଦା ମହାସଂଘ, କଟକ ଅଧ୍ୟକ୍ଷ ବିଜୟ ଓଝା, ଆମ ଓଡ଼ିଶା ମହିଳା ଶାଖା ଅଧ୍ୟକ୍ଷା କୁନି ବେହେରା, ଯୁବ ଯାଦବ କଟକ ଶାଖା ସଭାପତି ଅଜୟ ମହାପାତ୍ର, କଟକ ନଗର କଂଗ୍ରେସ ସଂପାଦକ ସେକ୍‌ ମେହେରାଜ୍‌ ମହମ୍ମଦ, ଆମ ଓଡ଼ିଶା ପାର୍ଟିର ହରିଜନ ଆଦିବାସୀ ସେଲ୍‌ ଅଧ୍ୟକ୍ଷ ରାମଚନ୍ଦ୍ର ନାୟକ ପ୍ରମୁଖ ବିଜେଡିରେ ଯୋଗଦେଇଥିଲେ। ଏମାନଙ୍କ ବ୍ୟତୀତ ଆମ ଓଡ଼ିଶା ପାର୍ଟି କଟକ ମହିଳା ଶାଖା ସାଧାରଣ ସଂପାଦିକା ପ୍ରତିମା ନାୟକ, ମହିଳା ଶାଖା ସାଧାରଣ ସଂପାଦିକା ଅନୁଜା ରାଉତ, ଯୁବ ସଭାପତି କଟକ ଶାଖା ସେକ୍‌ ଓବେଦୁଲ୍ଲା, ସମାଜସେବୀ ସନାତନ ମଲ୍ଲିକ, ସୟଦ ଆସଲାଫ୍‌ ୟୁସୁଫଙ୍କ ସମେତ ହଜାରେରୁ ଊର୍ଦ୍ଧ୍ୱ କର୍ମୀ ଓ ନେତା ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡିରେ ମିଶିଥିବା ସଂପର୍କରେ ଘୋଷଣା କରାଯାଇଥିଲା।

ଆଜିର ଏହି ଯୋଗଦାନ ଉତ୍ସବରେ ବିଜେଡି ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ମୁନ୍ନା ଖାଁ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର