ପିସିସି ସଭାପତି ପରିବର୍ତ୍ତନ ନେଇ ପୁଣି ଚର୍ଚ୍ଚା : ରାହୁଲଙ୍କ ସହ ରାଜ୍ୟ କଂଗ୍ରେସ ନେତାଙ୍କ ଆଲୋଚନା ଆଜି

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୧୯ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇଛି। ଗୁରୁବାର ଏହି ନେତାମାନେ ପ୍ରଥମେ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ତଥା ତିନିଜଣ ସମ୍ପାଦକ ଅନୀଲ ଚୌଧୁରୀ, ସେକ୍‌ ମସ୍ତାନ, ରୁଦ୍ର ରାଜୁ ଓ ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା ପରେ ରାଜ୍ୟ କଂଗ୍ରେସ ନେତାମାନେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଥିବା ଜଣାପଡ଼ିଛି। କେଉଁସବୁ ନେତା ରାହୁଲଙ୍କ ସହ ଭେଟ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ, ନବ କିଶୋର ଦାସ, ଶ୍ରୀକାନ୍ତ ଜେନା ପ୍ରମୁଖ ରାହୁଲଙ୍କୁ ଭେଟିବାର ସମ୍ଭାବନା ରହିଛି। ଡାକରା ପାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବି ଆଜି ସନ୍ଧ୍ୟା ପ୍ରାୟ ୯.୧୦ଟାରେ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ରାହୁଲଙ୍କ ସହ ସାକ୍ଷାତ ବେଳେ ପିସିସି ସଭାପତି ପରିବର୍ତ୍ତନ ଓ ପୁନର୍ଗଠନ ସମ୍ପର୍କରେ ଆଲୋଚନା ହୋଇପାରେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୫ ତାରିଖରେ ଓଡ଼ିଶାର ବଛାବଛା ୩୬ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକାଇ ରାହୁଲ ଗାନ୍ଧୀ ପିସିସି ପରିବର୍ତ୍ତନ ନେଇ ସଙ୍କେତ ଦେଇଥିଲେ। ତେବେ ପିସିସି ପରିବର୍ତ୍ତନ ନେଇ ବର୍ତ୍ତମାନ କିଛି କହିହେବ ନାହିଁ ବୋଲି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର