ବିଜେଡି ସଭାପତିଙ୍କୁ ତିନି ପୃଷ୍ଠାର ଭାବପ୍ରବଣ ଇସ୍ତଫା ପତ୍ରରେ କ’ଣ ଲେଖିଲେ ବୈଜୟନ୍ତ !

ଭୁବନେଶ୍ୱର (ସରୋଜ ଦାଶ): ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ନେଇ ତାଙ୍କ ପତ୍ର ପ୍ରଦାନ କରିଛନ୍ତି। ଏହି ଭାବପ୍ରବଣ ଇସ୍ତଫା ପତ୍ର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଭଳି ଭାବେ ନିଜ ଇସ୍ତଫା ପତ୍ର ମାଧ୍ୟମରେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ ଆକ୍ଷେପ କରିଛନ୍ତି ତାହା ହିଁ ଏବେ ଆଲୋଚନାର ବିଷୟ ହୋଇଛି। ଶ୍ରୀ ପଣ୍ଡାଙ୍କ ଇସ୍ତଫାପତ୍ରକୁ ଯଦି ତର୍ଜମା କରାଯାଏ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାରିବ। ପ୍ରଥମ ଭାଗରେ ବ୍ୟକ୍ତିଗତ ସମ୍ପର୍କର କଥା ରହିଥିବା ବେଳେ ଓ ଦ୍ୱିତୀୟ ଭାଗରେ ଭାଗରେ ଦଳୀୟ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବୈଜୟନ୍ତ।

ସାଂସଦ ଶ୍ରୀ ପଣ୍ଡା ଯେଉଁ ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି, ଏଥିରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କୁ ‘ବିଜୁ ଅଙ୍କଲ’ ବୋଲି ଉଲ୍ଲେଖ କରି ତାଙ୍କର ପଟ୍ଟନାୟକ ପରିବାର ସହିତ ବ୍ୟକ୍ତିଗତ ସମ୍ପର୍କକୁ ଉଖାରିଛନ୍ତି।। ଏପରିକି ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିବା ଓ ସ୍ୱର୍ଗତ ‘ବିଜୁ ଅଙ୍କଲ’ଙ୍କ ମୃତଦେହକୁ ନିଜ କାନ୍ଧରେ ବୋହିବା କଥାକୁ ଉଲ୍ଲେଖ କରିବାକୁ ଶ୍ରୀ ପଣ୍ଡା ଭୁଲିି ନାହାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିବାକୁ ଆସି ନ ଥିବା ତାଙ୍କୁ ବ୍ୟଥିତ କରିଛି ବୋଲି ସ୍ପଷ୍ଟ କରିଛନ୍ତି।

କେବଳ ସେତିକି ନୁହେଁ, ସେ ଲେଖିଛନ୍ତି, ବିଜେଡିର ଅନ୍ୟ ନେତାମାନେ ତାଙ୍କୁ ଜଣାଇଛନ୍ତି ଯେ ସ୍ୱର୍ଗତ ପଣ୍ଡାଙ୍କୁ ଶେଷ ଦର୍ଶନ କରିବା ପାଇଁ ଯିବା ଉପରେ ବିଜେଡି ପକ୍ଷରୁ ବାରଣ କରାଯାଇଥିଲା, ଯାହା ତାଙ୍କୁ ଦୁଃଖ ଦେଇଛି । ତେଣୁ ସେ ଆତ୍ମସମ୍ମାନ ଦୃଷ୍ଟିରୁ ବିଜେଡିରୁ ଇସ୍ତଫା ଦେଉଛନ୍ତି। ଏହି କ୍ରମରେ ଶ୍ରୀ ପଣ୍ଡା ଆଉ ଗୋଟିଏ ଘଟଣାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସେ ସାଂସଦ ପାଣ୍ଠିରୁ ନିର୍ମିତ ଏକ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଯାଇଥିବା ବେଳେ ତାଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସୁରକ୍ଷା ନେଇ ପଦୁଟିଏ ପଚାରି ନାହାନ୍ତି। ଏପରିକି ଏହି ଆକ୍ରମଣ ଯୋଗୁଁ ସେ ଏ ପର୍ଯ୍ୟନ୍ତ ତାଙ୍କ କାନ୍ଧର ଚିକିତ୍ସା କରୁଛନ୍ତି ବୋଲି ଉଲ୍ଲେଖ କରି ବିଜେଡି ସଭାପତି ତଥା ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧାରଣ ସୌଜନ୍ୟ ପ୍ରଦର୍ଶନ କରି ନ ଥିବା ପତ୍ର ମାଧ୍ୟମରେ ଦର୍ଶାଇବାକୁ ଚାହିଁଛନ୍ତି ସାଂସଦ ଶ୍ରୀ ପଣ୍ଡା।

ବୈଜୟନ୍ତଙ୍କ ପତ୍ରର ଦ୍ୱିତୀୟ ଭାଗଟିକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଇପାରେ । ୨୦୦୨ ମସିହାରେ ଦଳର ପାର୍ଲାମେଣ୍ଟାରି ପାର୍ଟିର ବିଭାଜନ ଏବଂ ୨୦୧୨ ମସିହା ମେ ୨୯ ତାରିଖ ରାତିରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ବିଦ୍ରୋହ ଘଟଣା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଣ୍ଡା ସେ ବିଜେଡ଼ି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁୁ ସହଯୋଗ କରିଥିବା ସ୍ପଷ୍ଟ କରିଛନ୍ତି। ଦଳର ନେତା ଭାବେ ନୂଆଦିଲ୍ଲୀରେ ନବୀନଙ୍କ ଭାବମୂର୍ତ୍ତି ବୃଦ୍ଧିି ପାଇଁ ସେ ଅହରହ ଉଦ୍ୟମ କରିଥିବା ଶ୍ରୀ ପଣ୍ଡା କହିଛନ୍ତି। କିନ୍ତୁ ଯେଉଁମାନେ ବିଜୁ ଜନତା ଦଳ ପ୍ରତିଷ୍ଠା ସମୟରେ ଏହାର ବିରୋଧ କରୁଥିଲେ ସେମାନେ ଆଜି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବିରେ ବସିଛନ୍ତି ବୋଲି ଶ୍ରୀ ପଣ୍ଡା ଆକ୍ଷେପ କରିଛନ୍ତି।

କେବଳ ସେତିକି ନୁହେଁ, ଏ.ୟୁ. ସିଂହଦେଓଙ୍କ ବାସଭବନରେ ଦଳରୁ ବିଜୟ ମହାପାତ୍ରଙ୍କ ବିଦା ପରେ ଦଳରେ ଦେଖା ଦେଇଥିବା ବିଶୃଙ୍ଖଳା ସମୟରେ ରାଜ୍ୟସଭା ପାଇଁ ଆବଶ୍ୟକ ବିଧାୟକ ଯୋଗାଡ଼ କରିବା ହେଉ ଅଥବା ୨୦୦୯ ମସିହାରେ ବିଜେଡ଼ି ପାଇଁ ଖରାପ ସ୍ଥିତିରେ ଥିବା କେନ୍ଦ୍ରାପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ହେଉ ସବୁଥିରେ ସେ ବିଜେଡି ଓ ଏହାର ମୁଖ୍ୟ ଭାବେ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରି ଆସିଛନ୍ତି। ମାତ୍ର କେନ୍ଦ୍ରାପଡ଼ା ସାଂସଦ ଭାବେ ୨୦୧୪ ମସିହାରୁ ସେ ବିଭିନ୍ନ ଭାବେ ଦଳୀୟ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏଥିରେ ଶ୍ରୀ ପଣ୍ଡା ପଞ୍ଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ ବୋଲି ଖୋଲାଖୋଲିି କହିିବା ପରେ ସେ ଏକ ଓଡ଼ିଆ ସମ୍ବାଦପତ୍ରରେ ଏକ ଆଲେଖ୍ୟ ଲେଖି ଦଳରେ ଦେଖା ଦେଇଥିବା ତ୍ରୁଟି ସମ୍ପର୍କରେ ଆଲୋକପାତ କରିଥିଲେ। ତା’ ପରଠାରୁ ତାଙ୍କୁ ଟାର୍ଗେଟ କରାଯାଇଛି ବୋଲି ସାଂସଦ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି। ତାଙ୍କୁ ବିଜେଡିର ଦଳୀୟ କର୍ମୀମାନେ ହଇରାଣ କରିଛନ୍ତି ଓ ଦଳ ମଧ୍ୟ ବୟକଟ କରିଛି। ଏପରିକି ବିଜେଡି ପ୍ରରୋଚନାରେ ତାଙ୍କ ନାମରେ ମିଥ୍ୟା ମାମଲା କରାଯାଇଛି ବୋଲି ସାଂସଦ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ସରକାରୀ କଳର ଅପବ୍ୟବହାର କରାଯାଇ ତାଙ୍କର ଓ ତାଙ୍କ ସମ୍ପର୍କୀୟମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯାହା ଏକବିଂଶ ଶତାବ୍ଦୀର ରାଜନୀତିରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଣ୍ଡା କହିବା ସହିତ ନିଜ ଆତ୍ମସମ୍ମାନ ଦୃଷ୍ଟିରୁ ସେ ଦଳରୁ ଇସ୍ତଫା ଦେଉଛନ୍ତି ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର