ମଧ୍ୟପ୍ରଦେଶରେ ସ୍ଥିତି ଏବେବି ଅସ୍ପଷ୍ଟ, ବିଜେପିକୁ ସମର୍ଥନ କରିବାକୁ ମନା କଲେ ମାୟାବତୀ

ନୂଆଦିଲ୍ଲୀ : ୫ଟି ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଥିବାବେଳେ କଂଗ୍ରେସ ଉତ୍ସାହିତ ହୋଇପଡିଛି । ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ସରକାର ଗଢିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ ମିଜୋରାମରେ କଂଗ୍ରେସ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ତେଲେଙ୍ଗାନାରେ ଟିଆରଏସ ସ୍ପଷ୍ଟ ବହୁମତ ଆଡକୁ ଅଗ୍ରଗତି କରୁଥିବାବେଳେ ମଧ୍ୟପ୍ରଦେଶରେ କିନ୍ତୁ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ଚାଲିଛି । କେତେବେଳେ ବିଜେପି ଆଗଉ ଥିବାବେଳେ କେତେବେଳେ କଂଗ୍ରେସ ଆଗଉଛି ।

ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ବିଜେପି ୧୧୨ଟି ସିଟରେ ଆଗୁଆ ଥିବାବେଳେ କଂଗ୍ରେସ ୧୦୮ଟି ଓ ଅନ୍ୟମାନେ ୧୧ଟି ସିଟରେ ଆଗୁଆ ଅଛନ୍ତି । ରାଜ୍ୟରେ ଗତ ୧୫ ବର୍ଷ ହେଲା ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଶାସନରେ ଅଛି । ୩ ଥର ଶାସନରେ ଥିବା ସତ୍ତ୍ୱେ ଦଳ କଂଗ୍ରେସକୁ କଡ଼ା ଟକ୍କର ଦେଇଛି । ରାଜ୍ୟରେ ୨୩୦ଟି ଆସନ ମଧ୍ୟରୁ ବହୁମତ ପାଇଁ ୧୧୬ଟି ଆସନ ଆବଶ୍ୟକ । ବହୁମତଠାରେ ବିଜେପି ଏବେ ମାତ୍ର ୪ଟି ସିଟ ପଛରେ ରହିଛି ।

ଏ ପରିସ୍ଥିତିରେ ବହୁଜନ ସମାଜବାଦି ପାର୍ଟିର ନେତ୍ରୀ ମାୟାବତୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କାରଣ ୬ଟି ସିଟରେ ବିଏସପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି । ତେବେ ସେ ବିଜେପିକୁ ସମର୍ଥନ କରିବାକୁ ମନା କରିଦେଇଛନ୍ତି । ଫଳରେ ଗଣତି ଆରମ୍ଭ ହେବାର ୭ ଘଣ୍ଟା ପରେ ବି ରାଜ୍ୟରେ ସ୍ଥିତି ଏବେବି ଅସ୍ପଷ୍ଟ ରହିଛି ।

ସମ୍ବନ୍ଧିତ ଖବର