ତୃଣମୂଳ ଏବଂ ରାଜ୍ୟସଭା ଛାଡ଼ିଲେ ମୁକୁଳ ରାୟ

ନୂଆଦିଲ୍ଲୀ: ବିଦ୍ରୋହୀ ତୃଣମୂଳ ସାଂସଦ ମୁକୁଳ ରାୟ ଦଳର ସମସ୍ତ ପଦ ପଦବୀ ଏବଂ ରାଜ୍ୟସଭାରୁ ମଧ୍ୟ ବୁଧବାର ଦିନ ଇସ୍ତଫା ଦେଇଛନ୍ତି। କିନ୍ତୁ, ସେ ଇସ୍ତଫା ଦେଲେ ମଧ୍ୟ ତୃଣମୂଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନରଦା ଏବଂ ସାରଦା ବିବାଦରେ କ୍ଲିନ୍‌ ଚିଟ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସଂସଦରୁ ଇସ୍ତଫା ଦେବା ପରେ ରାୟଙ୍କର ସାମ୍ବାଦିକ ସମ୍ମିଳନୀରେ ତାଙ୍କର ବିଗତ ଦଳ ପ୍ରତି କୌଣସି ବିସ୍ଫୋରକ ବୟାନ ନ ଥିଲା। ଦୀପାବଳୀ ପର୍ଯ୍ୟନ୍ତ ସେ ଅବକାଶରେ ରହିବେ ବୋଲି ଘୋଷଣା କରିଛନ୍ତି।

କିନ୍ତୁ, ଦୀପାବଳୀ ପରେ ସେ ବିଜେପିରେ ଯୋଗ ଦେବେ କି, ନାହିଁ କିଛି ନିର୍ଦ୍ଦିଷ୍ଟ କରି ନାହାନ୍ତି। କିନ୍ତୁ, ତାହା ବିରୋଧରେ ଧାଡ଼ିଏ ମନ୍ତବ୍ୟ ନ ଦେବା କଥାରୁ ଜଣା ପଡୁଛି ତାଙ୍କର ଗତି କୁଆଡ଼େ। ସେ ଯାହାହେଉ, ବିଜେପିର ରାଜ୍ୟ ମୁଖ୍ୟ କୋଲକତାରେ ସ୍ୱାଭାବିକ ମିଜାଜ୍‌ ପ୍ରଦର୍ଶନ କରି କହିଛନ୍ତି। ମତେ ଲାଗୁଛି ନିଷ୍ପତ୍ତି ଏବେ ମଧ୍ୟ ତୃଣମୂଳ ହାତରେ ରହିଛି। ବିଜେପିରେ ଯୋଗ ଦେବେ ବୋଲି ରାୟ ନିଜେ କହିଲେ ଯାଇ ଆମେ ଶୁଣିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ। ସେ ଆହୁରି କହିଛନ୍ତି: ଯେ କୌଣସି ରାଜନୈତିକ ଦଳ ନିମନ୍ତେ ରାୟଙ୍କ ପରି ନେତା ମୂଲ୍ୟବାନ ଅଟନ୍ତି।

ରାୟଙ୍କ ଇସ୍ତଫା ଦେବା ଘଟଣା ଯୋଗୁଁ ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ଅବାଞ୍ଛିତ ବ୍ୟକ୍ତି ବାହାରିଗଲେ। ଅକ୍ଟୋବର ୨୭ ତାରିଖ ଦିନ ନରୁଲ ମଞ୍ଚରେ ତୃଣମୂଳ ମୁଖ୍ୟ ବାନାର୍ଜୀ ଏକ ସମ୍ପ୍ରସାରିତ କୋର୍‌ କମିଟି ବୈଠକ ଡକାଇଛନ୍ତି। ଦଳୀୟ ଲୋକଙ୍କ ଭୟ ଯେ ରାୟ ତାଙ୍କର ସବୁ ଚମତ୍କାରିତା ଦେଖାଇ ନାହାନ୍ତି। ଦୀପାବଳି ଅବକାଶ ପରେ କ୍ଷେପଣ କରିବାକୁ ବଛା ବଛା ଅସ୍ତ୍ର ରଖିଛନ୍ତି। ରାୟଙ୍କର ପୁରୁଣା ଅନୁଗତଙ୍କର କ’ଣ କରାଯିବ ସେ ସଂକ୍ରାନ୍ତରେ ତୃଣମୂଳର ସାଙ୍ଗଠନିକ ବୈଠକ ସ୍ଥିର କରିପାରେ। ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନରେ ସେମାନେ ଅଧିକ କ୍ଷତି କରି ପାରନ୍ତି।

ସମ୍ବନ୍ଧିତ ଖବର