ଅତୀତର ଆଇନାରୁ : ମୁସ୍‌ଲିମ ଲିଗ୍‌ ଓ ଏହାର ନେତା ଜିନ୍ନାଙ୍କ ଦ୍ବନ୍ଦ୍ବ

0

କଂଗ୍ରେସର ଅନାଗ୍ରହ ସତ୍ତ୍ବେ ବ୍ରିଟିସ ସରକାର ସହ ମିଶି ଧର୍ମୀୟ ଭିତ୍ତିରେ ନିର୍ବାଚନମଣ୍ଡଳୀ ଗଠନ‌ ଜିଦ୍‌ରେ ଅଟଳ ରହି ମୁସ୍‌ଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ଭାବୁଥିଲେ, ୧୯୩୭ ପ୍ରାଦେଶିକ ନିର୍ବାଚନରେ ସେ ଦେଶର ସମଗ୍ର ମୁସଲମାନ ସଂପ୍ରଦାୟର ସମର୍ଥନ ହାତେଇବାରେ ସମର୍ଥ ହେବେ। ଏଥିସହ କଂଗ୍ରେସ ଶୈଳୀରେ ନିଜ ଦଳର ସଂସଦୀୟ ବୋର୍ଡ଼ ମଧ୍ୟ ଗଠନ କରିଥିଲେ। ଅଭିପ୍ରାୟ ଥିଲା, ବିଭିନ୍ନ ରାଜ୍ୟରେ କିଛି ନହେଲେ ମିଳିତ ସରକାରରେ ତାଙ୍କ ଦଳକୁ ସାମିଲ କରିବା ପାଇଁ ସେ କଂଗ୍ରେସକୁ ବାଧ୍ୟ କରିଦେବେ। ତେବେ ତାଙ୍କ ଯୋଜନା ଫସର ଫାଟିଲା। ମୁସଲମାନ ସଂପ୍ରଦାୟ ପାଇଁ ସଂରକ୍ଷିତ ମୋଟ ୪୮୨ ଆସନରୁ ତାଙ୍କ ଦଳ ମାତ୍ର ୧୦୯ ଗୋଟି ଆସନରେ ଜିଣିପାରିଲା। ମୁସଲମାନ ଅଧ୍ୟୁଷିତ ରାଜ୍ୟଗୁଡ଼ିକରେ ତାଙ୍କ ଦଳ ଆଶାନୁରୂପ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ସେସବୁ ପ୍ରଦେଶଗୁଡ଼ିକରେ ଅନ୍ୟ ଛୋଟଛୋଟ ପ୍ରାନ୍ତୀୟ ମୁସ୍‌ଲିମ ଦଳଗୁଡ଼ିକର ପ୍ରଦର୍ଶନ ବରଂ ଭଲ ରହିଲା। ଅନ୍ୟ ପକ୍ଷରେ ଯେଉଁ ଯେଉଁ ରାଜ୍ୟରେ ମୁସଲମାନମାନେ ସଂଖ୍ୟାଲଘୁ ଥିଲେ, ସେହି ରାଜ୍ୟମଧ୍ୟରୁ କେତୋଟିରେ ମୁସ୍‌ଲିମ ଲିଗ୍ ଏକ ପ୍ରକାର ଭଲ କରିଥିଲା। ତେବେ ୧୯୩୭ ନିର୍ବାଚନ ପରେ କୋୖଣସି ଗୋଟିଏ ବି ରାଜ୍ୟରେ ସରକାର ଗଢ଼ି ନ ପାରିବା ମୁସ୍‌ଲିମ ଲିଗ୍ ଓ ଏହାର ନେତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବିଫଳତା ବୋଲି ଧରାଗଲା। ବେଙ୍ଗଲ ଓ ପଂଜାବ ଭଳି ମୁସଲମାନ ସଂଖ୍ୟାଗରିଷ୍ଠ ପ୍ରଦେଶରେ ମୁସ୍‌ଲିମ ଲିଗ ସରକାର କରିନପାରିବା ତାଙ୍କ ପାଇଁ ଯେତିକି ବଡ଼ ଝଟ୍‌କା ଥିଲା, ଅନ୍ୟ ପକ୍ଷରେ ଅବଶିଷ୍ଟ ସାଧାରଣ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଭଲ ପ୍ରଦର୍ଶନ ପୂର୍ବକ ବହୁ ପ୍ରଦେଶରେ କଂଗ୍ରେସ ସରକାର କରିପାରିବା ଜିନ୍ନା ଓ ତାଙ୍କ ଦଳ ପାଇଁ ଆହୁରି ବଡ଼ ଝଟ୍‌କା ଥିଲା। ହିନ୍ଦୁ ସଂଖ୍ୟାଗରିଷ୍ଠ ପ୍ରଦେଶଗୁଡ଼ିକରେ କଂଗ୍ରେସ ସରକାର ଗଠନ ପ୍ରକ୍ରିୟାରେ ମୁସ୍‌ଲିମ ଲିଗ୍‌କୁ ଲୋଡ଼ୁନଥିବା ବେଳେ ମୁସ୍‌ଲିମ ସଂଖ୍ୟାଗରିଷ୍ଠ ରାଜ୍ୟଗୁଡ଼ିକରେ ଛୋଟଛୋଟ ମୁସ୍‌ଲିମ ଦଳ ଅନ୍ୟ ଅଣକଂଗ୍ରେସ-ଅଣମୁସ୍‌ଲିମ୍ ପ୍ରାନ୍ତୀୟ ଦଳ ସହ ମିଶି ସରକାର ଗଠନ କରିବା ମୁସ୍‌ଲିମ ଲିଗ୍ ପାଇଁ ବିପର୍ଯ୍ୟୟ ବୋଲି ଧରାଗଲା। ତେଣୁ ୧୯୩୭ ନିର୍ବାଚନ ପରେ ମୁସ୍‌ଲିମ ଲିଗର ରଣକୋୖଶଳରେ ପରିବର୍ତ୍ତନ ପାଇଁ ଜିନ୍ନା ଲାଗିପଡ଼ିଲେ।

ଶେଷରେ ବିରାଡ଼ି କପାଳକୁ ସିକା ଛିଡ଼ିଲା। କିଛି କାଳର କଂଗ୍ରେସ ଆଧିପତ୍ୟ ପରେ ଜିନ୍ନା ଯାହା ଚାହୁଥିଲେ ତାହା ହିଁ ହେଲା। ୧୯୩୯ରେ ଭାରତର ଦ୍ବିତୀୟ ବିଶ୍ବଯୁଦ୍ଧରେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଲା ବୋଲି ତତ୍କାଳୀନ ଭାଇସରୟ ଲର୍ଡ ଲିନ୍‌ଲିଥ୍‌ଗୋଙ୍କ ଏକତରଫା ଘୋଷଣାରେ କ୍ଷୁବ୍ଧ ହେଲା କଂଗ୍ରେସ। ତେବେ ସବୁ ଦଳକୁ ନେଇ ଯଦି କେନ୍ଦ୍ରରେ ଏକ ଜାତୀୟ ସରକାର ଗଠନ କରାଯାଏ ଓ ପ୍ରତିଶ୍ରୁତି ଅନୁଯାୟୀ ଯଦି ଯୁଦ୍ଧ ପରେ ବ୍ରିଟିସ ସରକାର ସ୍ବାଧୀନତା ଦିଅନ୍ତି ତାହାହେଲେ ସରକାରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କଲା। ଅନ୍ୟ ପକ୍ଷରେ ଜିନ୍ନା ବ୍ରିଟିସ ସରକାରଙ୍କୁ ‘ସମ୍ମାନର ସହଯୋଗ’ ଦେବା କଥା ଘୋଷଣା କଲେ। ଭାଇସରୟ କଂଗ୍ରେସର ଜାତୀୟ ସରକାର ଦାବିକୁ ପ୍ରତ୍ୟାଖ୍ୟାନ କଲେ। ତା’ବଦଳରେ ଏକ ଛୋଟ ଉପଦେଷ୍ଟା ମଣ୍ଡଳୀ ଗଠନ ପାଇଁ ନିଷ୍ପତ୍ତି ନେଲେ। ଏଭଳି ନିଷ୍ପତ୍ତିକୁ ବିରୋଧ କରି ୨୨ ଅକ୍ଟୋବର ୧୯୩୯ରେ କଂଗ୍ରେସର ପ୍ରାଦେଶିକ ସରକାରଗୁଡ଼ିକୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଗଲା। କଂଗ୍ରେସର ଏହି ନିଷ୍ପତ୍ତିରେ ଭାଇସରାୟ ଓ ଜିନ୍ନା ଖୋଲାଖୋଲି ଆନନ୍ଦ ପ୍ରକାଶ କଲେ। ଦେଶ କଂଗ୍ରେସର କୁଶାସନରୁ ମୁକ୍ତ ହୋଇଥିବାରୁ ଦେଶବ୍ୟାପୀ ୨୨ ଡିସେମ୍ବର ୧୯୩୯ ଦିନଟିକୁ ‘ଡେ ଅଫ୍ ଡେଲିଭରାନ୍ସ’ ଭାବେ ପାଳନ କରିବାକୁ ଜିନ୍ନା ତାଙ୍କ ଦଳର କର୍ମୀଙ୍କ ଆହ୍ବାନ ଦେଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.