ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ୍

ସମ୍ବଲପୁର : ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ନିତେଶ ଗଂଗଦେବ ନିଜ ପ୍ରତିନ୍ଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ନାମରେ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଖାରଜ ହୋଇଛି। ଶନିବାର ନିତେଶଙ୍କ ଅଭିଯୋଗର ଶୁଣାଣି କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ୍ ରଖିଛନ୍ତି। ଗତକାଲି ପ୍ରତିପକ୍ଷଙ୍କ ଅଭିଯୋଗ ପରେ ନଳିନୀଙ୍କୁ ନୋଟିସ କରିଥିଲେ ରିଟର୍ଣ୍ଣିଂ ଅଫିସର। ଆଜି ସେ ନିଜର ପକ୍ଷ ରଖି ଶ୍ରୀ ପ୍ରଧାନ ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଏ ନେଇ ଆବଶ୍ୟକୀୟ ଦସ୍ତାବିଜ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି।

ନଳିନୀକାନ୍ତ ପ୍ରଧାନ

ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେଇ ନ ଥିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଶ୍ରୀ ଗଂଗଦେବ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗତକାଲି ଆବେଦନ କରିଥିଲେ । ଏହା ଉପରେ ବିଚାର କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ନୋଟିସ୍ କରି ଉତ୍ତର ରଖିବାକୁ କହିଥିଲେ। ଏହାର ଉତ୍ତର ରଖିବାକୁ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କିଛି ସମୟ ମଗା ଯାଇଥିଲା। ତାକୁ ଗ୍ରହଣ କରି ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ୨୪ ଘଣ୍ଟା ସମୟ ଦେଇ ଶନିବାର ଦିନ ୧୦ଟା ୪୫ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଆଜି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖି ସେ ଏହି ଦୁଇ ପଦବୀରୁ ଇସ୍ତଫା ଦେଇଥିବା ପ୍ରକାଶ କରିଥଲେ।

ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଂଗଦେବଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଥିଲେ ଯେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଓଡ଼ିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍ (ଓପିଏଚ୍ଡବ୍ଲୁସି)ର ମନୋନୀତ ନିର୍ଦ୍ଦେଶକ ତଥା ଓଡ଼ିଶା କନଷ୍ଟ୍ରକସନ୍  କର୍ପୋରେସନ ଲିମିଟେଡ୍ (ଓସିସିଏଲ୍) ନିର୍ଦ୍ଦେଶକ ଅଛନ୍ତି। ଉଭୟ ରାଜ୍ୟ ସରକାରଙ୍କ ପରିଚାଳିତ ଲାଭଦାୟକ ସଂସ୍ଥା। ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରେ ଥିବାରୁ ନିର୍ବାଚନରେ ତାଙ୍କ ପ୍ରାର୍ଥିତ୍ବ ଗ୍ରହଣୀୟ ନୁହେଁ। ଏପ୍ରିଲ ୩ ତାରିଖ ସୁଦ୍ଧା ସେ ଉପରୋକ୍ତ ପଦଦ୍ବୟରେ ଥିଲେ ବୋଲି ଶ୍ରୀ ଦାସ ଦାବି କରିଥିଲେ। ୨୦୦୬ ମସିହାରେ ବିଶିଷ୍ଟ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସେହିଭଳି ସରକାରୀ ଲାଭଦାୟକ ପଦ (ଅଫିସ୍ ଅଫ ପ୍ରଫିଟ୍)ରେ ଥିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ହରାଇବାକୁ ପଡ଼ିଥିଲା। ସେହି ଆଧାରରେ ଶ୍ରୀ ପ୍ରଧାନଙ୍କ ପ୍ରାର୍ଥିପତ୍ର ବି ଖାରଜ ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ। କାଗଜପତ୍ରରେ କୌଣସି ହେରଫେର ଯେମିତି ନହେବ ସେଥିପାଇଁ ନିର୍ବାଚନ କମିସନ ତୁରନ୍ତ ଉପରୋକ୍ତ ଦୁଇଟି ସଂସ୍ଥାକୁ ସିଲ କରନ୍ତୁ ବୋଲି ଦାବି କରିଥିଲେ।

ସମ୍ବନ୍ଧିତ ଖବର