ରଜରେ ରାଜ୍ୟାଭିଷେକ, କଟକରେ ଅଗ୍ନିପରୀକ୍ଷା

ଭୋଟ ପେଡ଼ିର ପୁରୁଣା କଥା-୧୭ / ସ୍ବରାଜ ମିଶ୍ର

ରଜପର୍ବ ଓଡ଼ିଶାରେ ଘରେ ଘରେ ପାଳିତ ହୁଏ। ଏହି ଦିନ ଓଡ଼ିଶାର ପୁରପଲ୍ଲୀରେ ସବୁବୟସ ସବୁବର୍ଗର ମହିଳାମାନେ ଆନନ୍ଦ ଉଲ୍ଲାସରେ ଉତ୍ସବ ମନାନ୍ତି। ଏମିତି ଏକ ରଜ ସଂକ୍ରାନ୍ତିର ପବିତ୍ର ତିଥିରେ ୧୯୭୨ ମସିହା ଜୁନ ୧୪ ତାରିଖ ଦିନ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ନନ୍ଦିନୀ ଶତପଥୀ। ୧୯୭୧ରେ ଅନୁଷ୍ଠିତ ନିର୍ବାଚନରେ କେହି ଜଣେ ବି ମହିଳା ନିର୍ବାଚିତ ହୋଇ ବିଧାନସଭାକୁ ଆସି ନଥିଲେ। ଏହି ପୁରୁଷଭରା ବିଧାନସଭାରେ ଜଣେ ମହିଳା ଯେତେବେଳେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ସେତେବେଳେ ସାରା ରାଜ୍ୟର ମହିଳାମାନଙ୍କ ଭିତରେ ଖେଳିଯାଇଥିଲା ଅଦ୍ଭୁତ ଉଲ୍ଲାସର ଲହର। ସେତେବେଳେ ନନ୍ଦିନୀଙ୍କର ବୟସ ଥିଲା ମାତ୍ର ୪୧ ବର୍ଷ ଏବଂ ସେ ଥିଲେ ରାଜ୍ୟର ସର୍ବକନିଷ୍ଠା ମୁଖ୍ୟମନ୍ତ୍ରୀ। କିନ୍ତୁ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲା ଏକ ଭୟଙ୍କର ଅଗ୍ନିପରୀକ୍ଷା, କଟକରେ।

ନନ୍ଦିନୀ ଶତପଥୀ (Wikipedia)

୧୯୩୧ ମସିହା ଜୁନ୍‌ ୯ ତାରିଖରେ କଟକ ସହରର ବକ୍ସିବଜାର ନିକଟସ୍ଥ ଯାଚକ ଲେନ୍‌ରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନ୍ୟା ନନ୍ଦିନୀ। କଟକରେ ହିଁ ତାଙ୍କର ଛାତ୍ରୀଜୀବନ କଟିଥିଲା। ଛାତ୍ରଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନନ୍ଦିନୀ କଂଗ୍ରେସ ଦଳ ତରଫରୁ ୧୯୬୨ ଓ ୧୯୬୮ରେ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏହି ସମୟ ଭିତରେ ସେ ଇନ୍ଦିରା ଗାନ୍ଧୀଙ୍କର ଭରସା ଓ ବିଶ୍ୱାସ ଜିଣିପାରିଥିଲେ। ଏଣୁ ଓଡ଼ିଶାରେ ସ୍ୱତନ୍ତ୍ର, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ଦଳର ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ଜୁନ ୧୯୭୨ରେ ଇସ୍ତଫା ଦେବାପରେ ଯେଉଁ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା ତାହାର ନେତୃତ୍ଵ ନେବାପାଇଁ ଇନ୍ଦିରା ଗାନ୍ଧୀ ନନ୍ଦିନୀଙ୍କୁ ହିଁ ମନୋନୀତ କଲେ ଏବଂ ତାଙ୍କୁ ଜୁନ୍‌ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ରୂପେ ସରକାର ଗଠନ କରିବାକୁ ପଡ଼ିଲା।

ମାତ୍ର ସେତେବେଳେ ସେ ବିଧାନସଭାରେ ସଦସ୍ୟା ନଥିବାରୁ ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚିତ ହୋଇ ଆସିବାର ଥିଲା। ଏଥିପାଇଁ ସେ ବାଛିଲେ କଟକ ନିର୍ବାଚନ ମଣ୍ଡଳୀକୁ। ଏହି ଆସନରୁ ଜିଣିଥିବା କଂଗ୍ରେସ ସଭ୍ୟ ଭୈରବଚନ୍ଦ୍ର ମହାନ୍ତି ଇସ୍ତଫା ଦେବାପରେ ଏଠାରେ ୧୯୭୨ ନଭେମ୍ବର ଶେଷ ସପ୍ତାହରେ ଯେଉଁ ଉପନିର୍ବାଚନ ଅନୁଷ୍ଠିତ ହେଲା, ସେଥିରେ ନନ୍ଦିନୀ ସାମନା କଲେ କଟକର ଅନ୍ୟତମ ଜନପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ରଙ୍କୁ। ଏହାଥିଲା ନନ୍ଦିନୀଙ୍କ ପାଇଁ ଏକ କଠୋର ଅଗ୍ନିପରୀକ୍ଷା। କାରଣ ସେତେବେଳେ ବିଭିନ୍ନ ରାଜନୈତିକ କାରଣରୁ ବୀରେନ୍‌ଙ୍କ ସହ ହାତ ମିଳାଇଥିଲେ ଓଡ଼ିଶାର ବହୁ ତୁଙ୍ଗ ନେତା। ବୀରେନ୍‌ ମିତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢ଼ୁଥିଲେ। ବିଜୁ ପଟ୍ଟନାୟକ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଭଳି ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ସପକ୍ଷରେ ଖୋଲାଖୋଲି ପ୍ରଚାର କରୁଥିଲାବେଳେ ନନ୍ଦିନୀଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ନୀଳମଣି ରାଉତରାୟମଧ୍ୟ ତାଙ୍କୁ ପ୍ରଚ୍ଛନ୍ନ ସହଯୋଗ କରୁଥିଲେ। ଏପରିକି ବୟୋଜ୍ୟେଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ମହତାବଙ୍କର ଆଶୀର୍ବାଦ ଲାଭ କରିସାରିଥାନ୍ତି ବୀରେନ୍‌। ଏଣୁ ଯେଉଁଦିନ ଗୌରୀଶଙ୍କର ପାର୍କରେ ଶ୍ରୀ ମିତ୍ର ନିଜର ନିର୍ବାଚନ ସଭା ପରେ ବିଜୁବାବୁଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ବିହାରୀବାଗ ଯାଇ ମହତାବଙ୍କଠାରୁ ସର୍ବସମକ୍ଷରେ ଆଶୀର୍ବାଦ ନେଲେ, ସମସ୍ତେ ନିଶ୍ଚିତ ହୋଇଗଲେ ଯେ ବୀରେନବାବୁ ଜିତିବେ।

ବୀରେନ୍‌ ମିତ୍ର (Naveen Patnaik .com)

ରାଜ୍ୟସାରା ଆଶଙ୍କା ଓ ଉତ୍କଣ୍ଠା। ନନ୍ଦିନୀ କ’ଣ ସତରେ ଜିତିପାରିବେ! ମାତ୍ର ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ନନ୍ଦିନୀ ବିଜୟିନୀ ହେଲେ ଏବଂ ପାଖାପାଖ ୧୧ ହଜାର ଭୋଟରେ ବୀରେନ୍‌ ମିତ୍ର ପରାସ୍ତ ହେଲେ।

ଅଗ୍ନିକନ୍ୟା ନନ୍ଦିନୀ ଯେ ଏକ ପୁରୁଷପ୍ରଧାନ ବିଧାନସଭାରେ ଏକମାତ୍ର ମହିଳା ସଦସ୍ୟା ରୂପେ ପ୍ରବେଶକଲେ ସେତିକି ନୁହେଁ, ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଏବଂ ଉପନିର୍ବାଚନ ଅଗ୍ନିପରୀକ୍ଷାରେ ରଥୀ ମହାରଥୀମାନଙ୍କର ମିଳିତ ଶକ୍ତିକୁ ପ୍ରତିହତ କରି ପ୍ରମାଣ କରିଦେଲେ ଯେ ନାରୀ ବି କିଛି କମ୍‌ ନୁହେଁ।

ସମ୍ବନ୍ଧିତ ଖବର