ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଧାରଣ କଲେ ରଣନୀତି

ଟାର୍ଗେଟ୍‌ରେ କେନ୍ଦ୍ର, ଅସ୍ତ୍ର ସ୍ୱତନ୍ତ୍ର ରାଜ୍ୟପାହ୍ୟା
ଏମ୍‌ଏସ୍‌ପି, ମହାନଦୀ ଓ ପୋଲାଭରମ୍‌ ବି ଉଠିବ
ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ

ଭୁବନେଶ୍ୱର : ବିଧାନସଭା ବଜେଟ୍‌ ଅଧିବେଶନ ଲାଗି ଆଜି ଶାସକ ବିଜେଡି ରଣକୌଶଳ ପ୍ରସ୍ତୁତ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବିଧାୟକମାନେ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ କରିବା ଲାଗି ଯୋଜନା କରିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା ଏଭଳି ସଙ୍କେତ ଦେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଯିବ। ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା, ପୋଲାଭରମ୍‌ ପ୍ରସଙ୍ଗ ବି ଉଠିବ ଗୃହରେ। କେବଳ ସେତିକି ନୁହେଁ, କୃଷି ଓ କୃଷକ ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା କରିବା ଲାଗି ଶାସକ ଦଳ ଆଗ୍ରହୀ। ଏହାବ୍ୟତୀତ ଯେଉଁ ପ୍ରସଙ୍ଗ ବିରୋଧୀ ଆଲୋଚନା ପାଇଁ ଆଣିବେ, ସରକାର ସେ ପ୍ରସଙ୍ଗରେ ଚର୍ଚ୍ଚା ଲାଗି ପ୍ରସ୍ତୁତ ଅଛନ୍ତି।

ବିଧାନସଭାରେ ରଣନୀତି ନିର୍ଧାରଣ ବୈଠକ ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ବିଜେଡିର ଭବିଷ୍ୟତ ସଂପର୍କରେ ଠାରିଥିଲେ। ଗଣମାଧ୍ୟମକୁ ସୂଚାଇ ଦେଇଥିଲେ ଯେ ଉଭୟ ଉପା ଓ ଏନ୍‌ଡିଏ ସରକାର ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନକୁ ସମର୍ଥନ କରିନାହାନ୍ତି। ଅର୍ଥାତ୍‌ ଏ ପ୍ରସଙ୍ଗକୁ ନେଇ ବିଜେଡି କେବଳ ବିଧାନସଭା ଭିତରେ ନୁହେଁ, ବରଂ ଆଗାମୀ ଦିନରେ ଲଢିବ, ଏକଥା ଜଳ ଜଳ ହୋଇ ଦିଶୁଛି।

ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ଦୀର୍ଘ ଦିନର। ଏନେଇ ୨୦୧୩ ମସିହାରେ ଗୃହରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ବର୍ତ୍ତମାନ କିନ୍ତୁ ଏହାକୁ ଅଧିକ ଜୋରଦାର ଭାବେ ଉପସ୍ଥାପନ କରିବା ସହିତ ହାସଲ ପାଇଁ ଚାପ ସୃଷ୍ଟି କରିବାକୁ ପଡିବ। ସେହିଭଳି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ, ଉତ୍ପାଦନ ଖର୍ଚ୍ଚ ଦ୍ୱନ୍ଦ୍ୱ ତୁଟିନି କିମ୍ବା କେଉଁଭଳି ଭାବେ ଏହାକୁ ଲାଗୁ କରାଯିବ, ସେ ତରିକା ବି ନିର୍ଣ୍ଣୟ ହୋଇନାହିଁ। ଅତଏବ ଏ ପ୍ରସଙ୍ଗକୁ ବିଧାୟକମାନେ ଦୃଢ ଭାବେ ଉପସ୍ଥାପନ କରିବା ଉଚିତ୍‌।

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ସହିତ ପୋଲାଭରମ୍‌ ଓ ମହାନଦୀ ପ୍ରସଙ୍ଗରେ ବି ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ବିଧାୟକମାନେ ଯେମିତି ଗୃହରେ ଉପସ୍ଥିତ ରହନ୍ତି, ତାହାକୁ ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ବିଧାୟକମାନଙ୍କ ସମ୍ମୁଖରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ ଦାୟିତ୍ୱ ଦେଇଥିଲେ। ଉଭୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ଅନୁରୂପ ନିବେଦନ କରିଥିଲେ।

ବିଧାୟକ ଦଳ ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ ଏମ୍‌ଏଲ୍‌ଏ ଲ୍ୟାଡ୍‌କୁ ୧କୋଟିରୁ ୨ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବିଧାୟକ ସମୀର ଦାଶ କହିଥିଲେ, ବର୍ତ୍ତମାନ ୫ଲକ୍ଷ ଟଙ୍କା ଉପରେ ଯେ କୌଣସି ପ୍ରକଳ୍ପ ଲାଗି ଟେଣ୍ଡର ବାଧ୍ୟତାମୂଳକ କରାଯାଇଛି। ଯେହେତୁ ପ୍ରାୟ ସବୁ ପ୍ରକଳ୍ପ ମୂଲ୍ୟ ବଢିଗଲାଣି, ଏଣୁ ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରୁନାହିଁ। ଏ କଟକଣା ଉଠାଇ, ୧୦ଲକ୍ଷ ଟଙ୍କା ଉପରେ ଯେ କୌଣସି ପ୍ରକଳ୍ପ ଲାଗି ଟେଣ୍ଡର ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଦାଶ ନିବେଦନ କରିଥିଲେ।

ଆଜି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବ୍ୟୟ ମଞ୍ଜୁରି ବିଲ୍‌ ବ୍ୟତୀତ ସରକାରୀ କାର୍ଯ୍ୟ ଦିବସମାନଙ୍କରେ ସଂପାଦନ ପାଇଁ ଆଜି ସୁଦ୍ଧା ଓଡ଼ିଶା ପୌର ଆଇନ (ସଂଶୋଧନ) ବିଲ୍‌, ୨୦୧୮ର ନୋଟିସ୍‌ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଅନ୍ୟ ଯେଉଁ ସବୁ ବିଲ୍‌ ନୋଟିସ୍‌ ବିଭିନ୍ନ ସରକାରୀ ବିଭାଗ ପ୍ରଦାନ କରିବେ, ସେସବୁ ସରକାରୀ କାର୍ଯ୍ୟ ଦିବସମାନଙ୍କରେ ସଂପାଦିତ ହେବ। ସେହିଭଳି ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସରେ ସେ ସଂକ୍ରାନ୍ତ ବିଲ୍‌ ଓ ସଂକଳ୍ପ କାର୍ଯ୍ୟ ସଂପାଦିତ ହେବ। ଆଜିର ବୈଠକରେ ୯୫ ଜଣ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର