ନୂଆ ରଣନୀତି ନେଇ ଭୋଟ୍‌ ଯୁଦ୍ଧକୁ ଓହ୍ଲାଇଲେ ନବୀନ; ପଞ୍ଚମ ପାଳି ପାଇଁ ପକ୍କା କଲେ ବିଜୟ ପଥ !

ପ୍ରତିଶ୍ରୁତି ମୁତାବକ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କଲେ

ଭୁବନେଶ୍ୱର(ସୁବ୍ରତ ଦାସ): ଏଥର ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲାବେଳେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ସତର୍କତା ଅବଲମ୍ବନ କରିଛନ୍ତି। କ୍ରମାଗତ ଚତୁର୍ଥ ପାଳି ପରେ ପଞ୍ଚମ ଥର ପାଇଁ ଜନାଦେଶ ଲୋଡ଼ୁଥିବା ନବୀନ ନୂତନ ଚମକ ଦେବା ଲାଗି ବହୁ ପ୍ରାର୍ଥୀ ବଦଳାଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଘୋଷିତ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ନୂଆ ମୁହଁ। ମହିଳା କାର୍ଡ ଖେଳି ବହୁ ମହିଳାଙ୍କୁ ଟିକେଟ ଦେଇଥିବାବେଳେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମେନ୍ତେ ବୟୋଜ୍ୟୋଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନେଇଛନ୍ତି।

ଆଜି ଅପରାହ୍ଣରେ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ନବୀନ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏଥର ସେ ତାଙ୍କର ପୁରୁଣା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରାର୍ଥୀ ହେବା ସଂଗେ ସଂଗେ ପଶ୍ଚିମ ଓଡ଼ିଶାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ସେ ପଶ୍ଚିମ ଓଡ଼ିଶାର ଭୋଟରଙ୍କ ହୃଦୟ ଜିଣିପାରିବେ ବୋଲି ବିଜୁ ଜନତା ଦଳର ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ପଶ୍ଚିମ ଓଡ଼ିଶା ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ଗଡ଼ ବୋଲି ବିବେଚନା କରାଯାଉଥିଲା। ତେବେ ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳ ଏହି ବିଧାନସଭା କ୍ଷେତ୍ରକୁ ଦଖଲ କରି ନୂତନ ଇତିହାସ ସୃଷ୍ଟି କରିଛି ବୋଲି ଦଳୀୟ ନେତାମାନଙ୍କର ମତ। ପୂର୍ବରୁ ସୁବଳ ସାହୁ କ୍ରମାଗତ ୩ ଥର ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ନିକଟରେ ବିଜୟୀ ହୋଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ତାଙ୍କର ପତ୍ନୀ ରୀତାରାଣୀ ସାହୁ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଉପନିର୍ବାଚନରେ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଆଜି ଘୋଷିତ ୯ଟି ଲୋକସଭା ଆସନ ମଧ୍ୟରୁ ୩ଟିରେ (ଅର୍ଥାତ୍‌ ୩୩ ପ୍ରତିଶତ) ମହିଳା ପ୍ରାର୍ଥୀ ଦେଇ ନବୀନ ନିଜର ଘୋଷଣାକୁ ବଜାୟ ରଖିଛନ୍ତି। ଏହି ତିନିଜଣ ମହିଳା ପ୍ରାର୍ଥୀ ହେଲେ ଆସ୍କାରୁ ମହିଳା ସଶକ୍ତିକରଣ ଆନ୍ଦୋଳନରେ ନେତ୍ରୀ ପ୍ରମିଳା ବିଶୋଇ, ସୁନ୍ଦରଗଡ଼ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କନ୍ୟା ସୁନୀତା ବିଶ୍ୱାଳ ଏବଂ କୋରାପୁଟର ସାଂସଦ ଝିନା ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା।

ଏହାଛଡ଼ା ୫୪ଟି ବିଧାନସଭା ନିର୍ବାଚନ କ୍ଷେତ୍ର ମଧ୍ୟରୁ ପ୍ରାୟ ୧୦ଟିରେ ମହିଳା ପ୍ରାର୍ଥୀ ଦିଆଯାଇଛି। ଏହି ମହିଳା ପ୍ରାର୍ଥୀ ହେଲେ ପଦ୍ମିନୀ ଡ଼ିଆନ୍‌ (କୋଟପାଡ଼), ଉଷା ଓଦବୀ(ଚିକିଟି),କଲ୍ୟାଣୀ ଗଜପତି(ପାରଳଖେମୁଣ୍ଡି),ନନ୍ଦିନୀ ଦେବୀ(ସାନଖେମୁଣ୍ଡି),ଲତିକା ପ୍ରଧାନ (କବିସୂର୍ଯ୍ୟ ନଗର),ଟୁକୁନି ସାହୁ(ଟିଟିଲାଗଡ଼),ମଞ୍ଜୁଳା ସ୍ୱାଇଁ (ଆସ୍କା) ଏବଂ ସ୍ନେହାଙ୍ଗିନୀ ଛୁରିଆ (ଅତାବିରା)।

ଲୋକସଭା ନିର୍ବାଚନ ପାଇଁ ନବୀନ ଏଥର ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ନୂଆ ମୁହଁ। ଏପରିକି ଦଳର ସାଂସଦ ଥିବା ୩ ଜଣ ରାଜନେତାଙ୍କୁ ନବୀନ ପରିବର୍ତ୍ତନ କରିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ସାଂସଦ ତଥା ଲୋକପ୍ରିୟ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, କୋରାପୁଟ ସାଂସଦ ଝିନ୍ନା ହିକକା ଓ ବରଗଡ଼ ସାଂସଦ ପ୍ରଭାସ କୁମାର ସିଂହ । ସେ ମଧ୍ୟ ପୂର୍ବତନ ସାଂସଦ ଓ ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କନ୍ୟା ସୁନିତା ବିଶ୍ୱାଳଙ୍କୁ ନେଇଛନ୍ତି। ଏହାଛଡ଼ା ଗତ ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ଲଢ଼ିଥିବା ୨୫ ରୁ ଉର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ବଦଳାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରାୟ ୧୫ ଜଣ ବିଧାୟକ । ଏହାଦ୍ୱାରା ନବୀନ ଦୀର୍ଘ କାଳ ଶାସନରେ ରହିଥିବା ଯୋଗୁଁ ଜନ ଅସନ୍ତୋଷ (incumbency factor)କୁ ଏଡ଼େଇ ଦେଇ ପାରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ। ବିଜୁ ଜନତା ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ନବୀନ ବର୍ତ୍ତମାନ ପୁରୁଖା ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଗତ ଶନିବାର ଦିନ ନବୀନ ନିବାସ ଆସି ନବୀନଙ୍କ ସହ ନିଭୃତ ଆଲୋଚନା କରି ଫେରିଯାଇଛନ୍ତି। ସେ ଯେ କୌଣସି ମୁହୂର୍ତ୍ତରେ ଦଳକୁ ଫେରି ଆସିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଦଳୀୟ ନେତୃତ୍ୱ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇ ବହିଷ୍କୃତ ହୋଇଥିବା ବୟୋଜ୍ୟେଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି ନବୀନ। ଶ୍ରୀ ଘଡ଼େଇ ଏଥିପାଇଁ କୃତଜ୍ଞତା ପ୍ରକାଶ କରିବା ଲାଗି ନବୀନ ନିବାସ ଆସିବେ ବୋଲି ଶୁଣାଯାଉଛି।

ସମ୍ବନ୍ଧିତ ଖବର