ଦାମଙ୍କୁ ଦଳରୁ ବହିଷ୍କାର କରିବାକୁ ନବୀନଙ୍କ ନିକଟରେ ଦାବି କଲେ ବିଜେଡିର ଦୁଇ ବରିଷ୍ଠ ନେତା

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଛି । ସେ ଦଳରୁ ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ଖାସକରି ଜଗତସିଂହପୁରର ଦୁଇ ବରିଷ୍ଠ ବିଜେଡି ନେତା ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲାର ଆଉ କିଛି ନେତାଙ୍କୁ ଧରି ନବୀନ ନିବାସରେ ପହଂଚିଥିଲେ ଦାମଙ୍କ ବିରୋଧରେ ଅଭିଯୋଗ କରିବାକୁ । କାଗଜରେ ଲେଖାଥିଲା ଦାମଙ୍କ ବିରୋଧରେ ଅଭିଯୋଗ । ଆଉ ଅଭିଯୋଗ ଫର୍ଦ୍ଦକୁ ନବୀନଙ୍କ ହାତକୁ ବଢାଇ ଦେଇ ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ ଏହି ଦୁଇ ନେତା । ଉଦ୍ଦେଶ୍ୟ ସ୍ପଷ୍ଟ, ଦାମଙ୍କୁ ଦଳରୁ ବହିଷ୍କାର କରାଯାଉ ।
ଦାମ ଗତ କିଛି ଦିନ ହେବ ଖୋଲାଖୋଲି ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ । ବିଜେଡି ସରକାରରେ ହୋଇଥିବା କିଛି ଦୁର୍ନୀତି ନେଇ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇ ଆସୁଥିଲେ । ଯାହାକୁ ନାପସନ୍ଦ କରିଥିଲେ ଦଳୀୟ ନେତା । ଦାମ ଦଳରେ ଥାଇ ଦଳ ବିରୋଧୀ ବୟାନ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ । ବିରୋଧୀଙ୍କୁ ଖୋରାକ ଯୋଗାଇବା ପାଇଁ ଏଭଳି ଆଭିମୁଖ୍ୟ ପୋଷଣ କରୁଥିବା ଦଳୀୟ ନେତା ବୟାନ ରଖିଥିଲେ ।

NewIndianExpress

ନବୀନଙ୍କ ନିକଟରେ ଫେରାଦ ହୋଇ ପ୍ରଶାନ୍ତ ମୁଦୁଲି କହିଥିଲେ, ଦାମଙ୍କ କାର୍ଯ୍ୟକଳାପ ଦଳକୁ ଅଡୁଆରେ ପକାଇଉଛି । ତାଙ୍କ ବୟାନ ଦଳ ପାଇଁ ଘାତକ ହେଉଛି । ତେଣୁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ବିଷ୍ଣୁ ଦାସ କହିଥିଲେ, ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ଦାମ ମାହିର । ଦଳିତ ବିରୋଧୀ ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ଚାଲିଛି । ତେଣୁ ତାଙ୍କ ବିରୋଧରେ ଫେରାଦ ହେବାକୁ ଆସିଥିଲେ ବୋଲି କହିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି । ଦାମଙ୍କୁ ବହିଷ୍କାର କରିବାର ଆବଶ୍ୟକତା ଥିବା ଯୁକ୍ତି ବାଢିଥିଲେ ବିଷ୍ଣୁ ।

ନିଜ ଜିଲ୍ଲାର ଦୁଇ ନେତା ତାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେବା ପରେ ଦାମ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକରୁ ମଧ୍ୟ ବାଦ୍ ଦିଆଯାଇଛି । ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଏଥିରେ କିଛି କହିବାର ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । କିନ୍ତୁ ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି ।

ସମ୍ବନ୍ଧିତ ଖବର