ବିଜେଡି ସୁପ୍ରିମୋଙ୍କ ୫୦: ୫୦ ଫର୍ମୁଲା ! ଆଜି ତାଲିକାରେ ୧୮ରୁ ୯ ଆସନରେ ନବୀନ ଦେଲେ ନୂଆ ପ୍ରାର୍ଥୀ

ଭୁବନେଶ୍ୱର(ସୁବ୍ରତ ଦାସ) : ବିଜୁ ନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦୀ ତଥା ଭାରତୀୟ ଜନତା ପାର୍ଟିରେ ନିକଟରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ଅଠାକାଠିରେ ପକାଇଛନ୍ତି। ପ୍ରଥମେ ମନ୍ତ୍ରିମଣ୍ଡଳ ଓ ପରେ ଦଳରୁ ବହିଷ୍କୃତ ଡାକ୍ତର ରାଉତ ପାରଦୀପ ବିଧାନସଭା ଆସନରୁ ଚଳିତ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କର ପୁତ୍ର ସମ୍ବିତ ରାଉତରାୟଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ତାଙ୍କ ପରିବାରରେ ନବୀନ ବିଭେଦ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ପୁଅ ବିଜୁ ଜନତା ଦଳ ଟିକଟରେ ପାରାଦୀପରୁ ନିର୍ବାଚନ ଲଢ଼ିଲେ ସେ ତାଙ୍କ ବିରୁଦ୍ଧରେ ପ୍ରଚାର କରିବେ ବୋଲି ଡାକ୍ତର ରାଉତ ପୂର୍ବରୁ ଘୋଷଣା କରିଥିଲେ। ଡାକ୍ତର ରାଉତ ନିଜେ ପଡୋଶୀ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି।

orissadiary.com

ଆଜି ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଥିବା ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୯ଟି ଆସନରେ ପ୍ରାର୍ଥୀ ବଦଳାଇଛନ୍ତି। ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ସଭ୍ୟ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭଦ୍ରକର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ବଦଳାଇ ସଞ୍ଜିବ ମଲ୍ଲିକଙ୍କୁ ଟିକେଟ ଦିଆଯାଇଛି।

ବିଧାୟକ ଶ୍ରୀ ପଟ୍ଟନାୟକ ବୟସାଧିକ୍ୟ କାରଣରୁ ଏଥର ନିଜେ ଲଢିବାକୁ ଅନିଚ୍ଛା ପ୍ରକାଶ କରି ତାଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ତେବେ ତାଙ୍କୁ ଟିକେଟ ଦିଆଯାଇନାର୍ହି। ଅନ୍ୟ ପକ୍ଷରେ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି, କ୍ରୀଡା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ପୁଣି ଟିକେଟ ଦିଆଯାଇଛି। ଉପବାଚସ୍ପତି ସାନନ୍ଦ ମାରାଣ୍ଡି ମଧ୍ୟ ବାରିପଦା ବିଧାନସଭା ଆସନ ପାଇଁ ପୁନଃ ମନୋନୀତ ହୋଇଛନ୍ତି।

ପୂର୍ବରୁ ବିବାଦୀୟ ହୋଇ ପଡ଼ିଥିବା ବାରବାଟୀ-କଟକ ବିଧାୟକ ଦେବାଶୀଷ ସାମନ୍ତରାୟ ପୁଣି ଦଳୀୟ ଟିକେଟ ପାଇଛନ୍ତି।

ଅନ୍ୟ ପୁନଃମନୋନୀତ ଦଳୀୟ ପ୍ରାର୍ଥୀମାନେ ହେଲେ ବିଭୂତି ବଳବନ୍ତରାୟ(ଜଟଣୀ),ଜୀବନ ପ୍ରଦୀପ ଦାଶ(ବାଲେଶ୍ୱର),ଅଶ୍ୱିନୀ କୁମାର ପାତ୍ର(ଜଳେଶ୍ୱର),ପର୍ଶୁରାମ ଧଡା(ସୋରୋ),ଧୃବଚରଣ ସାହୁ(ରାଜନଗର),ଗୋଲକ ବିହାରୀ ନାୟକ(ଉଦଳା) ଏବଂ ସୁଦାମ ମାରାଣ୍ଡି(ବାଙ୍ଗିରୀପୋଷି) ପ୍ରମୁଖ।

ତେବେ ,ସାରସକଣା ଆସନରେ ଭାଦବ ହାଁସଦାଙ୍କୁ ଏଥର ବଦଳାଇ ପ୍ରାର୍ଥୀ କରାଯାଇଛି ଅମର ସିଂହ ଟୁଡ଼ୁଙ୍କୁ ଏବଂ ବଡ଼ ସାହିରେ ଗଣେଶ୍ୱର ପାତ୍ରଙ୍କ ସ୍ଥାନରେ ବୃନ୍ଦାବନ ଦାସଙ୍କୁ। ରେଙ୍ଗାଲି ଆସନରୁ ରମେଶ ପାଟୁଆଙ୍କ ବଦଳରେ ଏଥର ରୀନା ତନ୍ତୀଙ୍କୁ ଟିକେଟ ଦିଆଯାଇଛି।

ସମ୍ବନ୍ଧିତ ଖବର