୩ରୁ ନବୀନଙ୍କ ମାରାଥନ ପ୍ରଚାର: ଦକ୍ଷିଣରୁ ଆରମ୍ଭ ହୋଇ ୨୭ରେ ଉତ୍ତର ଓଡ଼ିଶାରେ ଶେଷ ହେବ

ଭୁବନେଶ୍ବର: ଏପ୍ରିଲ ୩ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିବେ ମାରାଥନ ପ୍ରଚାର । ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ପୂରା ଦମରେ ପ୍ରଚାର କରିବେ ସୁପ୍ରିମୋ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ନବୀନ ଏପ୍ରିଲ ୩ରୁ କୋରାପୁଟରୁ ମାରାଥନ କ୍ୟାମ୍ପେନ ଆରମ୍ଭ କରିବେ । ଏଥିଲାଗି ସ୍ବତନ୍ତ୍ର ବସ୍ ପ୍ରସ୍ତୁତ ହୋଇସାରିଛି।

ବିଜେଡିର ବିଜୟ ବାନା ଉଡାଇବା ପାଇଁ ଦକ୍ଷିଣରୁ ନବୀନ ଆରମ୍ଭ କରିବେ ମାରାଥନ ପ୍ରଚାର । ଦକ୍ଷିଣରୁ ଆରମ୍ଭ ହେବାକୁ ଥିବା ନବୀନଙ୍କ ଏହି ଅଭିଯାନ ଏପ୍ରିଲ ୨୭ରେ ଉତ୍ତର ଓଡିଶାରେ ଶେଷ ହେବ । ଏହି ସମୟସୀମା ମଧ୍ୟରେ ପୂରା ଓଡ଼ିଶା ବୁଲିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ ।

photo–moneytroll

ଏପ୍ରିଲ ୩ରେ କୋରାପୁଟରେ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପରେ ଦଳୀୟ ସଭାରେ ଯୋଗ ଦେଇ କର୍ମୀଙ୍କୁ ବିଜୟୀ ପାଇଁ ମନ୍ତ୍ର ଦେବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପୂର୍ବରୁ କୋରାପୁଟ ଆସନ ବିଜେଡି ହାତରେ ଥିବାରୁ ଚଳିତଥର ଏହାକୁ ହାତଛଡା କରିବାକୁ ଚାହୁଁନାହିଁ ଦଳ । ତେଣୁ ନୂଆ ରଣନୀତି ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ।

କୋରାପୁଟରେ ପ୍ରଚାର ଶେଷ ହେବା ପରେ ଏପ୍ରିଲ ୪ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବରଙ୍ଗପୁରରେ ପ୍ରଚାର କରିପାରନ୍ତି ନବୀନ । ରୋଡ ସୋ’ ଓ ରାଲି ସହ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ ମାଗିବେ ନବୀନ । ଖାସକରି ଏହି ପ୍ରଚାର ସମୟରେ ଭୋଟରଙ୍କୁ ସହ ସିଧାସଳଖ ସର୍ମ୍ପକ ସ୍ଥାପନ ପାଇଁ ହାଇଟେକ ପ୍ରଚାର କରିପାରନ୍ତି ନବୀନ । ସ୍ୱତନ୍ତ୍ର ବସ ଓ ହୋଲୋଗ୍ରାମ ଜ୍ଞାନକୌଶଳ ମାଧ୍ୟମରେ ନବରଙ୍ଗପୁରର ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ ।

ଷ୍ଟାର ପ୍ରଚାରକ ଭାବେ ନବୀନ କର୍ମୀଙ୍କ ମନରେ ଜୋଶ ଭରିବା ସହ ଏହି ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରୀ ଯାପନ କରିପାରନ୍ତି ବୋଲି ଶୁଣାଯାଉଛି ।  ଯାହା ବିଜେଡି ପ୍ରାର୍ଥୀଙ୍କୁ ବେଶ ସୁହାଇବ ବୋଲି ଚର୍ଚ୍ଚା ହେଉଛି । କାରଣ ନବରଙ୍ଗପୁରରେ ଚଳିତ ଥର ତ୍ରିମୁଖୀ ଲଢେଇ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏଠାରେ ପୁଣିଥରେ ବିଜେଡି ବିଜୟ ବାନା ଉଡାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ ।

ସମ୍ବନ୍ଧିତ ଖବର