ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ : ନୟାଗଡ଼ରୁ ବିଗୁଲ ବଜାଇବେ ନବୀନ

ଭୁବନେଶ୍ବର : ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ନୟାଗଡକୁ ବାଛିଛନ୍ତି ନବୀନ । ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ପ୍ରଥମ ଥର ପାଇଁ ନୟାଗଡ଼ରେ ଦଳୀୟ ସଭାରେ ଯୋଗ ଦେବେ ସେ । ନୟାଗଡ ମାଟିରୁ ନିର୍ବାଚନ ବିଗୁଲ ବଜାଇବାକୁ ଯାଉଛନ୍ତି ନବୀନ ।

ନୟାଗଡରୁ ଏଯାଏଁ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିବା ବେଳେ ନବୀନ ଏହିଠାରୁ ନିଜର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ନୟାଗଡରୁ ପ୍ରଚାର ଆରମ୍ଭ କରିବା ପଛରେ ନବୀନଙ୍କ ଷ୍ଟ୍ରାଟେଜି କ’ଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ରାଜନୈତିକ ବିଶାରଦଙ୍କ କହିବା ଅନୁଯାୟୀ, ଏବେ ଗୋଳମାଳିଆ ସ୍ଥିତିରେ ରହିଛି ନୟାଗଡ ନିର୍ବାଚନମଣ୍ଡଳୀ । ତେଣୁ ଏହାର ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ ।

ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ପ୍ରକାଶ କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନ୍ୟ ତାଲିକା ଘୋଷଣା କରିବ ଦଳ। ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ତାଲିକାର ମଙ୍ଗ ଧରିବାକୁ ଥିବା ବେଳେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି । ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।

ସେହିଭଳି ହେଭିୱେଟ ନେତା ଭାବେ ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ଏହି ୪୦ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।

ସମ୍ବନ୍ଧିତ ଖବର