ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ମାମଲା : ନିର୍ବାଚନ ଆୟୋଗ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଂଜିଳି ବିଧାନସଭା ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ସମ୍ପର୍କିତ ମାମଲାରେ ଭାରତର ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପିଟିସନ୍‌ ଉପରେ ଭାରତୀୟ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇପାରିବେ କି ବୋଲି ପ୍ରଶ୍ନ କରାଯିବାରୁ ଆୟୋଗଙ୍କ ଓକିଲ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଟ୍ରାନ୍ସଫର ପିଟିସନ୍‌କୁ ଡିସପୋଜ୍‌ କରିଦେବା ସହ ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ ନାହିଁ ଏବଂ ନିର୍ବାଚନ କମିସନ ହିଁ ଏ ମାମଲାରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏହି ସୂଚନା ଦେଇ ଆବେଦନକାରୀଙ୍କ ଓକିଲ ନରେନ୍ଦ୍ର ହୁଡା କହିଛନ୍ତି ଯେ ନିର୍ବାଚନ କମିସନ୍‌ ନିଷ୍ପତ୍ତି ନକଲେ ସେ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ।

ସୂଚନାଯୋଗ୍ୟ ଯେ ଆବେଦନକାରୀ ସୁବାଷ ମହାପାତ୍ରଙ୍କ ଦ୍ୱାରା ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ସମ୍ପର୍କିତ ମାମଲାର ଶୁଣାଣିକୁ ଓଡ଼ିଶା ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଅଗଷ୍ଟ ୨୮ ତାରିଖରେ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର